ବରଯାତ୍ରୀ ଦଳରେ ସାମିଲ ହୋଇ ନାଗିନ ଧୁନ ରେ କରୁଥିଲେ ଡ୍ୟାନ୍ସ
ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାମାରୀ କରୋନା ର କରାଳ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ l ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ରାଜ୍ୟରେ କଡା କଟକଣା l ଘରୁ ବାହାରକୁ ବାହାରିଲେ ଆଇନ କାନୁନ ର ଜାଲ l ଯାଜପୁର ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ନିୟମକୁ କରାଯାଉଛି କଡାକଡି ପାଳନ l ତେବେ ଅମାନିଆ ଙ୍କ ଠାରୁ ସୁକିନ୍ଦା ରାଜରାସ୍ତାରେ ଜୋରିମାନା ଆଦାୟ କରୁଥିବା ତହସିଲଦାର ମହାଶୟା , ନିଜେ ଏକ ବାହାଘର ଭୋଜିରେ ସାମିଲ ହେବା ସହ ବରଯାତ୍ରୀଙ୍କ ସହିତ ମିଶି ଗାଁ ଦାଣ୍ଡରେ ନାଗିନା ଧୁନ ରେ ନାଚିବା ଜିଲ୍ଲା ପ୍ରଶାସନର ଦୋ ମୁଁହା ନୀତିକୁ ପଦାରେ ପକାଇଛି l
ସୂଚନା ମୁତାବକ , ଗତ 21 ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘର ରେ ବରଯାତ୍ରୀ ଙ୍କ ସହିତ ନାଗିନା ଡ୍ୟାନ୍ସ ରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ମହାଶୟା l ଗୋଟିଏ ପଟେ ରାସ୍ତାରେ ବିନା ମାସ୍କ ରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ବେଳେ ଅନ୍ୟ ପଟରେ ବାହାଘର ଭୋଜିରେ ସାମିଲ ହେବା , ପୁଣି ବିନା ମାସ୍କ ରେ ଥିବା ବରଯାତ୍ରୀ ଙ୍କ ସହିତ ଗାଁ ଦାଣ୍ଡ ରେ ନାଚିବା କେତେଦୂର ଯୁକ୍ତିଯୁକ୍ତ l ସାଧାରଣ ଲୋକ ଙ୍କ ଭୋଜି ଭାତ କୁ ପ୍ରଶାସନ ଅଧିକାରୀ ମାନେ ଢାଳି ଦେଉଥିବା ବେଳେ ଏଠି ନିଜେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ରାତିରେ ବରଯାତ୍ରୀ ଯାଇ ବିନା ମାସ୍କ ଓ ସାମାଜିକ ଦୂରତା କୁ ଭୁଲିଯାଇ ନାଚିବା ସହିତ ଭୋଜି ରେ ମଧ୍ୟ ଯୋଗ ଦେଇଥିଲେ । ଘଟଣା ସମ୍ପର୍କରେ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଜଗସିଂହପୁର ପୁଲିସ ଘଟଣା କୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ , ଯାହା ଏବେ ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି l
ତେବେ ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଜୋରସୋର ଆଲୋଚନା ସମାଲୋଚନା ହେବା ସହ ଗାଁ ଦାଣ୍ଡ ନୃତ୍ୟର ଭିଡିଓ ଭାଇରାଲ ହେବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା . ସ୍ଥାନୀୟ ସରପଞ୍ଚ ଶୀଲାରାଣୀ ଖଣ୍ଡୁଆଳ ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି , ଥାନା କେଶ ନମ୍ବର 196 / 2021 ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଆଇନ ଭଙ୍ଗ ଅପରାଧରେ ମାମଲା ରୁଜୁ ହୋଇଥିବାର ଜଣାଯାଇଛି . ଜଗତସିଂହପୁର ପୁଲିସ ଦ୍ୱାରା ଜାରି ହୋଇଥିବା ଏକ ପ୍ରେସ ବିବୃତିରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି . ଦ୍ଵିତୀୟ ପର୍ଯ୍ୟାୟ ତାଲା ବନ୍ଦ କଟକଣା ନିୟମ ଅନୁସାରେ ବିବାହ ଉତ୍ସବରେ ସର୍ବାଧିକ 25 ଜଣଙ୍କ ପାଇଁ ଅନୁମତି ଥିବା ସମୟରେ ସେହି ବାହାଘରରେ ଏତେ ଲୋକ କିପରି ସମାଗମ ହୋଇଥିଲେ ତାହା ସ୍ଥାନୀୟ ପୁଲିସ ପାଇଁ ପାଲଟିଛି ପ୍ରଶ୍ନବାଚୀ , ପୁନଶ୍ଚ ବିବାହ ସମୟରେ ଗୀତ ନାଚ ଡିଜେ ପ୍ରସେସନକୁ ଅନୁମତି ମିଳୁ ନଥିବା ସ୍ଥଳେ କିପରି ଭାବରେ ଏତେ ସଂଖ୍ୟକ ପୁରୁଷ ମହିଳା ଏକତ୍ର ନାଚୁଥିଲେ ତାହା ମଧ୍ୟ ତଦନ୍ତସାପେକ୍ଷ ବୋଲି ମତ ପ୍ରକାଶ ପାଇଛି . ଜୋରିମାନା ଆଦାୟ କରୁଥିବା ତହସିଲଦାର ମହାଶୟା ଏବେ ନିଜେ କେତେ ଜୋରିମାନା ଦେବେ ତାହା ଦେଖିବାକୁ ଅପେକ୍ଷା କରିଛନ୍ତି ଲୋକେ .