କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ (୪୬) ଙ୍କ ସୋମବାର ଅପରାହ୍ନରେ ବ୍ରେନ ମ୍ୟାଲେରିଆରେ ଅକାଳ ବିୟୋଗ ଘଟିଛି । ସେ ଫିରିଙ୍ଗଆ ରେଞ୍ଜ ର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ । ଗତବର୍ଷ ବନରକ୍ଷୀ ରୁ ବନପାଳ ଭାବେ ପ୍ରମୋସନ ପାଇ ଜି.ଉଦୟଗିରି ବନପାଳ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିଲେ । ହେଲେ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ । ଶରୀର ଅଧିକ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ପ୍ରାଥମିକ ସ୍ତରରେ ଅକ୍ସିଜେନ ଲେବଲ ୪୫% ଥିବା ବେଳେ ହଠାତ ସୋମବାର ଦିନ ସକାଳେ ୩୯%କୁ ଖସି ଆସିଥିଲା । ଯାହା ଫଳରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ । ଅଧା ବାଟ କେରେଡି ଗ୍ରାମ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ଭଦ୍ର, ମେଳାପୀ ପରୋପକାରୀ, ମିଷ୍ଟଭାଷୀ ଓ ସଚ୍ଚୋଟ ଵ୍ୟକ୍ତି ଥିଲେ । ତାଙ୍କ ନିଜ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ କରାଯାଇଥିଲା । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ବନବିଭାଗରେ ଶୋକର ଛାୟା ଖେଳିଯାଇଛି ।