କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସହର ସିଡିଏ ସେକ୍ଟର-11ର ନଦୀ କୂଳରେ ଏକ କୁଡ଼ିଆ କରି ପୂଜା ନିଜ ସ୍ୱାମୀ ନଗେଶ୍ୱର ସିଂ, ପାଞ୍ଚ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ବଡ଼ ଦୁଃଖରେ ରହୁଛନ୍ତି । ଗୋଟିଏ ପୁଅ ଅନ୍ଧ ହୋଇଥିବା ବେଳେ,ଆଉ ଗୋଟିଏ ପୁଅ ମାନସିକ ବିକୃତ । ସରକାରଙ୍କ ଅନୁକମ୍ପା କହିଲେ କେବଳ ସରକାରଙ୍କ ତରଫରୁ କେବଳ 12 kg ଚାଉଳ ମିଳୁଛି ।
ନଗେଶ୍ୱର ସାଇକେଲ ଦୋକାନ ଟିଏ ଚଲାଉଥିବା ବେଳେ ଘରଘର ବୁଲି ବାସନ ମାଜି ପୂଜା ଯାହା ଉପାର୍ଜନ କରନ୍ତି ବଡ଼ କଷ୍ଟରେ ନିଜ ପରିବାରକୁ ଚଳାଉଛନ୍ତି । କାହାକୁ ମିଳୁଛି ବାଟିଏ, ତ କାହାକୁ ମିଳୁନି ଗୋଟିଏ ! ପୂଜାଙ୍କ ପାଇଁ ସରକାରୀ ଯୋଜନା, ସାତ ସପନ ସଦୃଶ । ପେଟର ଭୋକ ମେଣ୍ଟାଇବା ପାଇଁ, ପୂଜାଙ୍କ ପିଲା ମାନଙ୍କୁ ମାଗି ଯାଚି ଚଳିବାକୁ ପଡେ । ସରକାରଙ୍କ ଭତ୍ତା ମିଳିବା ତ ଦୂରର କଥା, ଆଠ ଜଣଙ୍କୁ ନେଇ ପରିବାରକୁ ଆଧାର କାର୍ଡ ଉପରେ 12 kg ଚାଉଳ ମିଳୁଛି । ଅନ୍ଧ ପୁଅ ପାଇଁ ଭତ୍ତାର ବ୍ୟବସ୍ଥା କରିବା ପାଇଁ ବହୁ ନିବେଦନ କରି ମଧ୍ୟ, ଆଜି ପର୍ଯ୍ୟନ୍ତ ହେଇ ପାରିଲା ନାହିଁ ଭିନ୍ନକ୍ଷମ ଭତ୍ତା !
ଅସହାୟ ଗରିବଙ୍କ ପାଇଁ ସରକାର ବହୁ ଯୋଜନା କରିଥିଲେ ମଧ୍ୟ, ପୂଜାର ପରିବାର ପାଇଁ ସବୁ ଯୋଜନା ସାତ ସପନ । ଜରି କୁଡ଼ିଆ ଘରେ ରହୁଛନ୍ତି ପୁରା ପରିବାର । ବର୍ଷା ହେଲେ ଅଧା ତିଆରି ଘରଟି ଭାଙ୍ଗିଯିବାର ଭୟ । ବର୍ତ୍ତମାନ କରୋନା ଭାଙ୍ଗି ଦେଇଛି ପୂଜାଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ । ଭୋକ ଉପାସରେ ଦିନ କାଟୁଛନ୍ତି ଏହି ଅସହାୟ ପରିବାର । ପ୍ରତ୍ୟେକ ଜୀବନ ମୂଲ୍ୟବାନ ସ୍ଲୋଗାନ ଦେଉଥିବା ସରକାରଙ୍କର ଶୁଭ ଦୃଷ୍ଟି କେବେ ପଡିବ ପୂଜା ସିଂ ଙ୍କ ପରିବାର ଉପରେ .