ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ପ୍ରତିବାଦରେ ବିପ୍ଳବୀ କମ୍ୟୁନିଷ୍ଟ ଦଳର “ଓଡିଶା ବନ୍ଦ” . ଆଜି ସିପିଆଇ ଏମ ଏଲ ରେଡ଼ ଷ୍ଟାର ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି କ୍ରାଉନ ହୋଟେଲ ନିକଟ ଜାତୀୟ ରାଜପଥ କୁ ଦୀର୍ଘ ୨ ଘଣ୍ଟା ଧରି ଅବରୋଧ ସହିତ ସମସ୍ତ ଗାଡି ବନ୍ଦ କରାଯାଇଥିଲା ।
କେନ୍ଦ୍ରର ବିଜେପି ନେତୄତ୍ଵାଧିନ ଏନ୍ଡ଼ିଏ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଲଗାତାର ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ଉପରେ ଦରବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି । ବିଶେଷ କରି କୃଷି, ଯାତ୍ରୀ ଓ ମାଲ୍ ପରିବହନରେ ପ୍ରମୁଖ ଇନ୍ଧନ ରୂପେ ପରିଚିତ ଡିଜେଲର ଦରବୃଦ୍ଧି କୂଷିର ଉତ୍ପାଦନ ଖର୍ଚ୍ଚକୁ ବଢାଇବା ସହିତ ବଜାରର ପ୍ରାୟ ସମସ୍ତ ଜିନିଷକୁ ମହଙ୍ଗା କରିଦେଇଛି । ଫଳସ୍ୱରୂପ ଡାଲି, ଖାଇବା ତେଲ ଭଳି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ଇତି ମଧ୍ୟରେ ଅହେତୁକ ଭାବେ ବୃଦ୍ଧି ଘଟିଛି। କରୋନା ମହାମାରୀ ଓ ଲକଡାଉନ୍ ଫଳରେ ସାଧାରଣ ଜନତା ନିଜର ରୋଜଗାର ଓ ବ୍ୟବସାୟ ହରାଇ ଅତ୍ୟନ୍ତ ଦୁର୍ଦ୍ଦଶାର ଶୀକାର ହୋଇଥିବା ବେଳେ ଦରବୃଦ୍ଧିର ଏହି ବୋଝ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି । ଦେଶରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର ଲଗାତାର ମିଛ କହି ନିଜର ଜନବିରୋଧି କାମକୁ ଲୁଚାଇବାକୁ ଚେଷ୍ଟା କରି ଆସିଛନ୍ତି । କେତେବେଳେ ରାଜକୋଷର ନିଅଣ୍ଟ ଭରଣା କଥା କହି ଦର ବଢେଇବାକୁ ଯଥାର୍ଥ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦେଶରେ ଧନୀ ଲୋକଙ୍କ କାମରେ ଲାଗଥିବା ଉଡାଜାହାଜର ଇନ୍ଧନ ଦର ଲିଟର ପିଛା ବର୍ତ୍ତମାନ ଟ. ୬୧.୩୦ ରହିଛି ।
ଠିକ୍ ସେହିପରି ରାଜକୋଷର ନିଅଣ୍ଟକୁ ଭରଣା କରିବା ପାଇଁ ସରକାର ଆମେରିକା ଓ ଇଂଲଣ୍ଡ ପରି ଆମ ଦେଶର କର୍ପୋରେଟମାନଙ୍କ ଉପରେ ଟିକସକୁ ବଢେଇ ପାରିଥାନ୍ତେ । କିନ୍ତୁ ସେପରି ନକରି ସରକାର ଆମ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝକୁ ବଢାଇ ନିଜର ଆୟବୃଦ୍ଧି କରିବାକୁ ଚାହିଁଛନ୍ତି । ସେହିପରି ମାଗଣା କରୋନା ଟିକା ଦେବାର ଆଳ ଦେଖାଇ ସରକାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଯେଉଁ ଯୁକ୍ତି ଦର୍ଶାଇଛନ୍ତି, ତାହା ବି ମିଛ ଅଟେ । ପ୍ରଥମ କଥା ହେଲା, ମାଗଣାରେ ଟିକାକରଣ କେବଳ ଭାରତରେ ହେଉନି, ବରଂ ବିଶ୍ଵର ସବୁ ଦେଶର ସରକାର ନିଜର ନାଗରିକମାନଙ୍କୁ ମାଗଣାରେ କରୋନା ଟିକା ଦେଉଛନ୍ତି । ସରକାର ଦେଶରେ ମାଗଣାରେ କରୋନା ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ କେବଳ ଗତ ଆର୍ଥିକ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବାବଦରେ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି ।
ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ନେଇଛନ୍ତି । ସେହିପରି ରନ୍ଧନ ଗ୍ୟାସ ଉପରେ ସରକାର କୌଣସି ଟିକସ ନେଉ ନଥିଲେ ମଧ୍ୟ ତା ଉପରେ ପୂର୍ବରୁ ଦିଆଯାଉଥିବା ସବସିଡିକୁ ଖତମ୍ କରିବା ଫଳରେ ତାର ଦର ଗତ କିଛି ବର୍ଷ ମଧ୍ୟରେ ଦୁଇ ଗୁଣ ହୋଇ ଯାଇଛି । ପେଟ୍ରୋଲ, ଡିଜେଲର ଦରବୃଦ୍ଧି ସପକ୍ଷରେ ସରକାର ଯେତେଯାହା ଯୁକ୍ତି ବଢିଲେ ବି ପ୍ରକୃତକଥା ହେଉଛି ବଡ଼ ବଡ଼ କରପୋର୍ଟେ ସଂସ୍ଥାମାନଙ୍କ ଉପରୁ ବାରମ୍ବାର ଟିକସ ଛାଡ଼ ବା ରିହାତି ଦିଆଯାଉଛି । ଅନ୍ୟପଟେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କରୁ ଦେଶର କର୍ପୋରେଟ୍ କମ୍ପାନୀମାନେ ନେଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଆଉ ସୁଝୁ ନଥିବାରୁ କେନ୍ଦ୍ର ସରକାର ତାକୁ ଉଦ୍ଧାର କରିବା ପରିବର୍ତ୍ତେ ଜନଗଣଙ୍କ ଉପରେ ଟିକସ ଆଦାୟ କରି ଏହି ଅର୍ଥକୁ ଭରଣା କରୁଛନ୍ତି । ଦଳ ତରଫରୁ ହୋଇଥିବା ରାସ୍ତା ରୋକ ରେ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସାଥି ରାଜେନ୍ଦ୍ର ପ୍ରସାଦ ବାରିକଙ୍କ ନେତୃତ୍ୱରେ ଦୁଇ ଘଣ୍ଟା ଧରି ରାସ୍ତା ରୋକ ହୋଇଥିଲା । ସିପିଆଇ ଏମ୍ ଏଲ ରେଡ଼ ଷ୍ଟାର ସାଥି ପ୍ରମିଳା ଙ୍କ ସମେତ ରାଜ୍ୟ କମିଟି ସଦସ୍ୟ ହେନା ବାରିକ, ପଦ୍ମନାଭ ମାର୍ଥା,ପ୍ରତିମା ନାୟକ, ରାମଚନ୍ଦ୍ର ସାହୁ ,ସରୋଜ ଦାଶ, ବିକ୍ରମ ସ୍ବାଇଁ, ପଦ୍ମ ଲୋଚନ ପଣ୍ଡା, ଭରତ ବେହେରା, ବିଚିତ୍ର କୁମାର ପାତ୍ର ,ନାରାୟଣ ଲେଙ୍କା, ଦିଲ୍ଲୀପ କୁମାର ସିଂ,ପୂଜା ଦାଶ ଆଦି ନେତୃତ୍ୱ ନେଇଥିଲେ, 25 ଜଣ ସାଥୀଙ୍କୁ ପୋଲିସ ଗିରଫ କରି 2 ଘଣ୍ଟା ଅଟକ ରଖି ଛାଡ଼ି ଦେଇଥିଲେ ।