ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ରେ ପୁନର୍ବାର ତେଜିଲା ନୀଳାଚଳ ବଞ୍ଚାଅ ଆନ୍ଦୋଳନ । ରାଜ୍ୟରେ ଏକମାତ୍ର ସରକାରୀ ଷ୍ଟିଲ ପ୍ଲାଣ୍ଟ ହେଉଛି କଳିଙ୍ଗନଗର ପ୍ଲାଣ୍ଟ , ତେବେ ଏହା ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଅଚଳ ହୋଇ ପଡିଛି । ଘରୋଇକରଣ ଆଳରେ ନିୟମିତ ଦରମା ମିଳୁନି । ଅସହାୟ କର୍ମଚାରୀଙ୍କ ଜୀଵନ ଜୀବିକା ସଂକଟରେ । ବକେୟା ରହିଛି ୧୧ମାସର ଦରମା ଓ ଅନ୍ୟାନ୍ୟ ଭତ୍ତା । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରତିନିଧିଙ୍କ ଚୁକ୍ତିକୁ ଅଣଦେଖା କରିଥିବା ଅଭିଯୋଗ ଆଣିଲେ କମ୍ପାନୀ କର୍ମଚାରୀ । ଏହାର ପ୍ରତିବାଦରେ ମିଳିତ ମଞ୍ଚ ଡ଼ାକରାରେ ନୀଳାଚଳ କର୍ମଚାରୀଙ୍କ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଅଛି । ସରକାର ନିଜସ୍ୱ ଖଣି ଓ ପ୍ଲାଣ୍ଟକୁ ତୁରନ୍ତ ଚାଲୁ କରିବା , ଚୁକ୍ତି ଅନୁସାରେ ଦରମା ପ୍ରଦାନ ଏବଂ ସମସ୍ତ ବକେୟା ଦରମା ଓ ଭତ୍ତା ପ୍ରଦାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣପୂର୍ବକ ସମାଧାନ ନକଲେ କର୍ମଚାରୀ ମାନେ ଏକତ୍ରିତ ହୋଇ କୋଭିଡ ନିୟମ ମାନି ପ୍ରଥମେ ନୀଳାଚଳ ହାଉସ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।