ସ୍ୱାମୀଙ୍କ ଖାକି ତାଉ ରେ ମହିଳାଙ୍କ ଜମି ଦଲାଲି : ରାଜଧାନୀରେ କୋଟି କୋଟି ଟଙ୍କାର ଜମି
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀରେ ପୁଣି ସାମନାକୁ ଆସିଲା ଆଉ ଏକ ଜମି କେଳେଙ୍କାରୀରେ ଘଟଣା . ତେବେ ଏ ଜମି ଘୋଟଲା ଅଧ୍ୟାୟ ଟିକେ ନିଆରା , କୌଣସି ଜମି ମାଫିଆ କିମ୍ବା ବିଲଡର ସଂସ୍ଥା ନୂହେଁ ବରଂ କମିଶନରେଟ ପୁଲିସରେ କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ହେଉଛନ୍ତି ଏ ଜମି ହଡପ ଘଟଣାର ମାଷ୍ଟର ମାଇଣ୍ଡ . ସ୍ୱାମୀଙ୍କ ଖାକି ତାଉ ରେ ମହିଳାଙ୍କ ଜମି ଦଲାଲି , ଚଞ୍ଚକତା କରି ରାଜଧାନୀରେ ହାତେଇଛନ୍ତି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି . ଗରୀବ ଭୂମିହୀନଙ୍କୁ ସରକାର ଲିଜ ସୂତ୍ରରେ ଦେଇଥିବା ଜମିକୁ ବଳପୂର୍ବକ ଦଖଲ କରି ଚଢା ଦରରେ ବିକ୍ରୀ କରିଛନ୍ତି ସମ୍ପୃକ୍ତ ମହିଳା .
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସବାସ କରୁଥିବା ଗରୀବ ଭୂମିହୀନ ମାନଙ୍କୁ ଥଇଥାନ କରିବା ପାଇଁ ସରକାର ଯୋଗାଇ ଦେଇଛନ୍ତି ବାସପଯୋଗୀ ଜମି . ତେବେ ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ବିଲଡର ସଂସ୍ଥା ପର୍ଯ୍ୟନ୍ତ ସମସ୍ତଙ୍କର ଆଖି ସେଇ ଜମି ଉପରେ . କିଏ ଲୋଭ ଦେଖାଇ ତ ଆଉ କିଏ ବଳ ପ୍ରୟୋଗ କରି ସେ ସବୁ ଜମିକୁ ହାତେଇବାରେ ବ୍ୟସ୍ତ . ଅନ୍ୟ ପକ୍ଷରେ ଲୋକଙ୍କୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ସର୍ତ୍ତ ମୂଳକ ପଟ୍ଟା ପ୍ରଦାନ କର ଯାଉଥିଲେବି , ଫରଜି କାଗଜ ପତ୍ର ପ୍ରସ୍ତୁତ କରି ସେସବୁ ଜମିକୁ ହାତେଇ ନେଉଛନ୍ତି ଜମି ମାଫିଆ . ତେବେ ଜମି କେଳେଙ୍କାରୀ ଘଟଣାରେ ସାମନାକୁ ଆସିଛି ରଂଜିତା ମଲ୍ଲ ଓରଫ ରଂଜିତା ସ୍ୱାଇଁଙ୍କ ନାମ . ଆଉ ସବୁଠାରୁ ଆଶ୍ଚଯ୍ୟର କଥା ହେଲା ରଂଜିତାଙ୍କ ସ୍ୱାମୀ କମିଶନରେଟ ପୁଲିସ ରେ କାର୍ଯ୍ୟରତ ଜଣେ କର୍ମଚାରୀ . ନିଜ ସ୍ୱାମୀଙ୍କ ଖାକି ଭାଉରେ ରଂଜିତା ମଲ୍ଲ ଓରଫ ସ୍ୱାଇଁ ଚଳାଇଛନ୍ତି ନିଜର ଜମି ଦଲାଲି . ଭୂମିହୀନ ଙ୍କୁ ମିଳିଥିବା ଜମିର ରକ୍ଷଣାବେକ୍ଷଣ ପାଇଁ କାଗଜପତ୍ର ପ୍ରସ୍ତୁତ କରି ଜମିକୁ ଅନ୍ୟ ଲୋକକୁ ଚଢା ଦରରେ ବିକ୍ରି କରୁଛନ୍ତି . ଢେଙ୍କାନାଳ ବୃନ୍ଦାବନପୁର ଗ୍ରାମର ଆରତୀ ଶତପଥୀ ନାମକ ଗରୀବ ମହିଳାଙ୍କୁ ଭରତପୁର ଜୋକଲଣ୍ଡି ମୌଜାରେ ମିଳିଥିବା ପ୍ଲଟ ନମ୍ବର 1944 ଜମିକୁ କୌଶଳକ୍ରମେ ହାତେଇ ନେଇ ପରେ ଗଞ୍ଜାମ ଜିଲ୍ଲା ଆସ୍କାର ଗୋପାଳକୃଷ୍ଣ ଦାସ ନାମକ ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ମୋଟା ଅଙ୍କର ଅର୍ଥ ଆଦାୟ କରିଛନ୍ତି .
ତେବେ ଭରତପୁର ଜୋକଲଣ୍ଡି ମୌଜାର ପ୍ଲଟ ନମ୍ବର 1944 ସମ୍ପର୍କରେ ଖୋଳତାଡ କରିବା ସମୟରେ , ସାରୁ ଖୋଲିବା ସମୟେ ମହାଦେବ ବାହାରିବା ନ୍ୟାୟରେ ରଂଜିତା ସ୍ୱାଇଁଙ୍କ ସମ୍ପର୍କରେ ପଦାକୁ ଆସିଛି ଅନେକ ସାଙ୍ଘାତିକ ତଥ୍ୟ . କେବଳ ସରକାରୀ ଜମି ନୁହେଁ ବରଂ ମହିଳା ଜଣକ ଅନେକ ବେନାମୀ ଜାଗା ଓ ଗାଡିକୁ ମଧ୍ୟ ନିଜ କବଜାରେ ରଖିଛନ୍ତି . ରାଜଧାନୀରେ ତାଙ୍କ ସ୍ୱାମୀଙ୍କୁ ସରକାରୀ କ୍ୱାର୍ଟର ମିଳିଥିବା ସମୟରେ ମହିଳା ଜଣକ ନିଜ ପରିବାର ସହିତ ଜାଗମରା ଆଇଟିଆର ପାଖରେ ରହୁଛନ୍ତି . ଏପରିକି ଯେଉଁ ଘରେ ରହୁଛନ୍ତି , ତାହା ମଧ୍ୟ ଚଂଚକତା ପୂର୍ଣ୍ଣ ଉପାୟରେ ଦଖଲ କରିଥିବା ସମୟରେ , ଘର ଆଗରେ ରଖ ଯାଇଥିବା ଚାରି ଚକିଆ ଗାଡି ର ମାଲିକାନା ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଅଛି . ବିଗତ ଦିନରେ ତାଙ୍କ ସ୍ୱାମୀ କାର୍ଯ୍ୟ କରିଥିବା ଟାଙ୍ଗୀ ଥାନା ଅଞ୍ଚଳର କିଛି ଲୋକଙ୍କ ନାମରେ ଗାଡି କିଣି ବ୍ୟବହାର କରୁଥିବାର ତଥ୍ୟ ଜଣାପଡିଛି . ଭରତପୁର ଜୋକଲଣ୍ଡି ମୌଜାର ପ୍ଲଟ ନମ୍ବର 1944 ଢେଙ୍କାନାଳ ବୃନ୍ଦାବନପୁର ଗ୍ରାମର ଆରତୀ ଶତପଥୀଙ୍କୁ ମିଳିଥିବା ବେଳେ କିପରି କେଉଁ ପରିସ୍ଥିତିରେ ତାଙ୍କ ଜମି ଅକ୍ତିଆର କରାଗଲା , ସେ ନେଇ ମାନ୍ୟବର ଲୋକପାଳଙ୍କ ପାଖରେ ଜନୈକ ସୂଚନାଧିକାର କର୍ମୀ ମାମଲା କରିଛନ୍ତି . ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ କାବୁ କରୁଥିବାର ଖବର ସାମନାକୁ ଆସୁଛି . ତେବେ କରିତକର୍ମା ପୁଲିସ ଅଧିକାରୀ ଏବଂ ତାଙ୍କ ପତ୍ନୀ ଆଜି ପର୍ଯ୍ୟନ୍ତ କିପରି ଭିଜିଲାନ୍ସ ବିଭାଗର ସ୍କାନର କୁ ଆସିନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି .