କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ବାପା ଏମ୍.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ ୪୯୮ ଏବଂ ଭାଗ୍ୟଲକ୍ଷ୍ମୀଙ୍କ ନାମରେ ଧାରା ୩୦୨ ଓ ୩୦୬ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରି କହିଛନ୍ତି । ରାଇକିଆ-ଅଲିମାହା ରାସ୍ତାରେ ଥିବା ଏକ କୂଅ ମଧ୍ୟକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ଶିଶୁକନ୍ୟା ଓ ୫ ବର୍ଷର ଶିଶୁପୁତ୍ରକୁ ଠେଲି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୁଲିସ କେସ ନଂ ୭୧/୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ଉଭୟ ରାଜେଶ ଓ ଭାଗ୍ୟଲକ୍ଷ୍ମୀଙ୍କୁ ପଚରାଉଚରା ଚଳାଇଥିଲା । ଅନ୍ୟପଟେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଥାନାରେ ଦେଇଥିବା ଏତଲା ପ୍ରକାରେ ପୁଲିସ ପାରିବାରିକ ଅଶାନ୍ତି କାରଣରୁ ଏଭଳି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା । ରାଜେଶଙ୍କ ପରକୀୟା ପ୍ରୀତି ଯୋଗୁଁ ଘରେ ସବୁ ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏପରିକି ବହୁ ସମୟରେ ରାଜେଶ ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କୁ ନିର୍ଯାତନା ଦେଉଥିବା ନେଇ ଭାଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି କାରଣରୁ ମାନସିକ ଭାରସାମ୍ୟ ହରାଇ ଭାଗ୍ୟଲକ୍ଷ୍ମୀ ନିଜର ଦୁଇ ସନ୍ତାନଙ୍କୁ କୂଅକୁ ଠେଲି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଛି ।
ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା : ବାପା ଓ ମା’ ଗିରଫ !!!

