ମନରେଗା ମହାଦୁର୍ନୀତି ଅଧ୍ୟାୟରେ ‘ଅ ‘ ‘ଆ ‘ ଯୋଡି !!!

Spread the love

ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିନ ଗଡୁଛି , ଅଡୁଆ ବଢୁଛି . ଡମପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗି ଏବଂ ତାଳବସ୍ତ ପଞ୍ଚାୟତର ଦୁର୍ନୀତି ଗୁମର ଖୋଲିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କାଳକ୍ଷେପଣ ନୀତି ଆପଣେଇଛି ଜିଲ୍ଲା ପ୍ରଶାସନ . ଦାବୀ ର ସ୍ୱରକୁ ଚାପି ଦେବା ପାଇଁ ତଦନ୍ତର ଗତିକୁ ପ୍ରଶାସନ ଧିମା କରିଥିବା ବେଳେ , ନିଜେ ନିଜ ପାଇଁ ସମସ୍ୟା ତିଆରି କରି ବସିଲାଣି . ସମୟ ଯେତିକି ଗଡି ଚାଲିଛି ସାମନାକୁ ଆସୁଛି ଦୁର୍ନୀତିର ଆଉ ନୂଆ ନୂଆ ଫର୍ଦ୍ଦ . ଦୁର୍ନୀତି ପାଇଁ ଯଦି ଲିମକା ବୁକ ରେ କାଟାଗୋରୀ ଥାଆନ୍ତା , ତେବେ ଡମପଡା ବ୍ଲକ କାର୍ଯ୍ୟାଳୟ ନିର୍ଦ୍ଦ୍ୱନ୍ଦରେ ସ୍ଥାନିତ ହୋଇଥାନ୍ତା ବୋଲି ଲୋକେ ସମାଲୋଚନା କରି କହିଲେଣି . ତେବେ ସବୁ ଦୁର୍ନୀତି ମୂଳରେ ସେହି ଅ ଆ ଫ୍ୟାକ୍ଟର . ଦର୍ଶକ ବନ୍ଧୁ ଭଲ ଭାବରେ ଦେଖନ୍ତୁ ଏ ଫଟୋ କୁ , ଜଣେ ହେଉଛନ୍ତି କୁସୁପଙ୍ଗି ପଞ୍ଚାୟତର ସରପଂଚଙ୍କ ସ୍ୱାମୀ ତଥା ଜବ କାର୍ଡ ଧାରୀ ଶ୍ରମିକ ଅସୀତ ଜେନା ଏବଂ ଆଉ ଜଣେ ବାଙ୍କୀ ର ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି କୁଣ୍ଡଳୀ ମାରି ବସିଥିବା ଉନ୍ନୟନ ଅଧିକାରୀ ଆର୍ତ୍ତବନ୍ଧୁ ଲେଙ୍କା . ଏବେ ବୁଝି ପାରିଲେ ତ ଦୁର୍ନୀତିର ଅ ଆ ଫ୍ୟାକ୍ଟର କଣ . ଉଭୟଙ୍କ ମିଲି ଭଗତ ରେ ଚାଲିଥିଲା ସରକାରୀ ଅର୍ଥ ହରିଲୁଟ ର ଅଧ୍ୟାୟ . ହେଲେ ବିରୁଡି ବସାରେ ହାତ ମାରିବାର ରିସ୍କ ନେଇଗଲେ ଡମପଡା ବ୍ଲକ ଯୁବ ବିଜେଡିର ପୂର୍ବତନ ସଭାପତି ଅସୀତ ଜେନା . ପ୍ରଥମେ ଜଣେ ଛାପା ଗଣମାଧ୍ୟମର ପ୍ରତିନିଧିଙ୍କୁ ଧମକ ଦେଲେ , ତା ପରେ ଆଉ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଗୁଲଜ କରି ଭଏସ ରେକର୍ଡ କୁ ସୋସାଲ ମିଡିଆରେ ଭାଇରାଲ କଲେ , ସେତେବେଳେ ମଧ୍ୟ ଆମେ ସତର୍କ କରି ଖବର ପ୍ରସାରଣ କରିଥିଲୁ , ଏ ଔଦ୍ଧତ୍ୟ ମହାଙ୍ଗା ପଡିବ . ହେଲେ କ୍ଷମତା ଓ ଅର୍ଥ ପ୍ରଭାବ ଅହଂକାରକୁ ଏତେ ବଢ଼ାଇଥିଲା ଯେ , ଇନ୍ଦ୍ର ଚନ୍ଦ୍ର ମାନୁ ନଥିଲେ ଅ ଆ ଯୋଡି . ଦଳୀୟ ନେତାଙ୍କ ଅଭୟାବାଣୀ , କିଛି ଦୋଗଲ ବାଜିଆ ପ୍ରତିନିଧିଙ୍କ ଚାଟୁକାରିତାରେ ଭଳିଯାଇ କରି ବସିଲେ ସାଙ୍ଘାତିକ ଭୁଲ . କାଉଣ୍ଟର ଆଟାକ ପାଇଁ ଗଣମାଧ୍ୟମ ପ୍ରସ୍ତୁତ ହେଉଥିବା ସମୟରେ ଲୁହା ଗରମ ଦେଖି ଚୋଟ ମାରିଦେଲା ଭାରତୀୟ ଜନତା ପାର୍ଟି . ଆଉ ଏବେ ଘଟଣାର କ୍ଳାଇମାକ୍ସ ବେଳକୁ ବ୍ଲକ ପିତ୍ତକ ଆଗରେ ଜଗି ବସିଛି କଂଗ୍ରେସ . ଅ ଆ ଙ୍କ ପାଇଁ ଅଡୁଆ ହୋଇଛନ୍ତି ଆଉଜଣେ – ଅ , ସେ ହେଲେ ଡମପଡା ବ୍ଲକ କଂଗ୍ରେସ ସଭାପତି ଅସୀତ ବରଣ ପଟ୍ଟନାୟକ . ମହାଘୋଟଲାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରି ଗତ ଛ ଦିନ ହେବ ଚଳାଇଛନ୍ତି ଆନ୍ଦୋଳନ .

ବ୍ଲକ କାର୍ଯ୍ୟାଳୟର ଅନୈତିକ ସମର୍ଥନ ତଥା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସିଧା ସିଧା ସମ୍ପୃକ୍ତିର ଦୁର୍ନୀତିର ଗ୍ରାଫ ୮ ଅଙ୍କ ଛୁଇଁଥିବାର ତଥ୍ୟ ପଦାକୁ ଆସିଲାଣି . କଟକ ବଞ୍ଚାଇବାକୁ ଦଳେଈଘାଈ ରେ ପାରା ପକାଇବା ନ୍ୟାୟରେ ହଳେ ଜେଇ ଙ୍କୁ ବଦଳି କରି ବିଡିଓଙ୍କୁ କ୍ଲିନ ଚିଟ ଦେବାପାଇଁ ଚାଲିଛି ପ୍ରୟାସ . ଅନ୍ୟପକ୍ଷରେ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କଭର ଫାୟାର ଦେବା ପାଇଁ ସିଧା ବିଭାଗୀୟ ମନ୍ତ୍ରୀଙ୍କୁ ଅର୍ଜି ଦେଲେଣି ଦଳୀୟ ଶୀର୍ଷାନେତା . ତେବେ ଏ ଭିତରେ ଘଟଣାରେ ଟ୍ଵିଷ୍ଟ ଆଣିବା ପାଇଁ ଗୋଟେ ଇସ୍ତଫା ଡ୍ରାମା ମଧ୍ୟ ସାମନାକୁ ଆସିଥିଲା . ଇସ୍ତଫାପତ୍ର ଗୃହୀତ ହେଲା କି ନାହିଁ ତାହା ଦଳୀୟ କାର୍ଯ୍ୟାଳୟ ସ୍ପଷ୍ଟ କରି ନାହିଁ . କିନ୍ତୁ ବାଙ୍କୀ ର ଜଣେ ନେତା କମ ସାମ୍ବାଦିକ ସେ କପି କୁ ସବୁ ଗ୍ରୁପ ରେ ସେୟାର କରି ଚାଲିଛନ୍ତି . ହେଲେ ଏସବୁ ଅଳିଆ ଧନ୍ଦା ଦେଖି ବାଙ୍କୀ ଡମପଡା ଆକାଶରେ ଚିଲ ପରି ଉଡ଼ିଲେଣି ଉଚ୍ଚସ୍ତରୀୟ ତଦନ୍ତକାରୀ ସଂସ୍ଥା . କେତେବେଳେ ଯେ ଝାମ୍ପ ମାରିବେ କହିବା ମୁସ୍କିଲ .

Leave a Reply

Your email address will not be published. Required fields are marked *