ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗାଁ ସାଥୀଙ୍କ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ଯୋଗାଣ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଛି । ହେଲେ ଗାଁ ସାଥି ସଙ୍ଘ ତାକୁ ତୀଵ୍ର ବିରୋଧ କରୁଛି । ସେହିଭଳି ଗାଁ ସାଥି ମାନଙ୍କୁ ମାସକୁ ସର୍ବନିମ୍ନ 10 ଦିନର କାମ ଯୋଗାଇ ଦେବା ସହ ନିୟମ ଅନୁସାରେ ଉଚିତ ପ୍ରାପ୍ୟ ପ୍ରଦାନ କରିବା , ରାଜ୍ୟର ଜବକାର୍ଡ ଧାରିଙ୍କୁ ବାର୍ଷିକ 200 ଦିନର କାମ ସହ ଦୈନିକ 300 ଟଙ୍କା ପ୍ରଦାନ କରିବା ଆଦି ଦାବି ନେଇ ଗଜପତି ଜିଲ୍ଲା ଗାଁ ସାଥି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଣୁ ଏହିଭଳି ବିକ୍ଷୋଭ କରାଯାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ 7 ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ସଙ୍ଘ ନିଷ୍ପତ୍ତି ନେଇଥିବା ଗଜପତି ଜିଲ୍ଲା ସଙ୍ଘ ସଭାପତି ପଞ୍ଚୁ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ବିକ୍ଷୋଭ !

