କାର୍ଯ୍ୟକ୍ରମ ରେ ଯୋଗଦେଲେ ସୁପ୍ରିମକୋର୍ଟ ବିଚାରପତି : ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଓଡ଼ଗାଁ ମାନଚିତ୍ରରେ ଯୋଡ଼ିହେଲା ନୂଆ ଫର୍ଦ୍ଦ
ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଓଡଗାଁ ରେ ନବ ନିର୍ମିତ ଦେୱାନୀ ଏବଂ ଫୌଜଦାରୀ ବିଚାରାଳୟର କୋଠା ଉଦଘାଟିତ ହୋଇଯାଇଛି . ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ଆଜି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବିଚାରପତି ଜଷ୍ଟିସ ଭିନୀତ୍ ଶରଣ ଦେୱାନୀ ଏବଂ ଫୌଜଦାରୀ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମାନ୍ୟବରଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଥିଲା । ପ୍ରଥମେ ସେ ଶରଣକୁଳ ସ୍ଥିତ ଶ୍ରୀ ଲଡୁବାବାଙ୍କ ଦର୍ଶନ ସାରି ,ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ଅଭିମୁଖେ ଅଗ୍ରସର ହୋଇଥିଲେ ,ସେଠାରେ ବିଚାରପତି ଭିନିତ୍ ଶରଣ ସ୍ବତନ୍ତ୍ର ପରିଦର୍ଶନ କରିବା ଅବସରରେ ମନ୍ଦିରର ଚତୁଃପାର୍ଶ୍ବ ବୁଲି ଦେଖିବା ସହିତ ମନ୍ଦିରର କାରୁକାର୍ଯ୍ୟକୁ ନେଇ ଖୁବ୍ ପ୍ରଶଂସା କରିଥିଲେ। ମାନ୍ୟବର ବିଚାରପତି ମନ୍ଦିରର ଉଚ୍ଚତା ପଚାରି ବୁଝିବା ସହିତ ବିଭିନ୍ନ ଠାକୁରଙ୍କୁ ଦେଖି ଆନନ୍ଦିତ ହୋଇଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ମୁଖ୍ୟ ବିଚାରପତି ଭିନିତ୍ ଶରଣଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଭିନୀତ୍ ଶରଣ ସିଭିଲ କୋର୍ଟର ମୁଖ୍ୟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ବାର ଆସୋସିଏସନ ଗୃହ, ଅତିଥି ଭବନ ,ଲାଇବ୍ରେରୀ ,ଷ୍ଟାଫ କ୍ୱାଟରର ନୂତନ ଗୃହକୁ ଉଦ୍ଘାଟନ କରିଥିଲେ । ଏହା ସହିତ ମହାତ୍ମା ଗାନ୍ଧୀଙ୍କ ମୂର୍ତିର ଅନାବରଣ କରିଥିଲେ।

ଓଡ଼ଗାଁ ପୁଷ୍ପଭଣ୍ଡାର ସାହିର ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କ ହସ୍ତସ୍ପର୍ଶରେ ନିର୍ମିତ ଶ୍ରୀ ଜଗନ୍ନାଥ ,ବଳଭଦ୍ର ଏବଂ ସୁଭଦ୍ରାଙ୍କ ବାଲୁକା କୀର୍ତ୍ତିରାଜିର ପ୍ରସଂଶା କରିଥିଲେ ।ପରେ ଆୟୋଜିତ ସଭାରେ ଓଡ଼ଗାଁ ବାର ଆସୋସିଏସନ ସଭାପତି ପବିତ୍ର ମୋହନ ସାହୁ ସଭାପତିତ୍ୱ କରିଥିବାବେଳେ, ଜଷ୍ଟିସ ସରଣ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ,ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ .ମୁରଲୀଧର,ଜଷ୍ଟିସ ବିଶ୍ୱଜିତ ମହାନ୍ତି , ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ , ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ ଦେଵବ୍ରତ ଦାସ ,ଜଷ୍ଟିସ ବିଶ୍ୱନାଥ ରଥ ,ଜଷ୍ଟିସ ବିଭୁପ୍ରସାଦ ରାଉତରାୟ ,ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ,ମିସ ଜଷ୍ଟିସ ସାବିତ୍ରୀ ରଥ ଉପସ୍ଥିତଥିବାବେଳେ ଜଷ୍ଟିସ ଏସ୍ କେ ସାହୁ ଏବଂ କେ ଆର ମହାପାତ୍ର ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦିପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସରଣଙ୍କ ସମେତ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଉପସ୍ଥିତ ସମସ୍ତ ହାଇକୋର୍ଟ ବିଚାରପତି ମାନଙ୍କୁ ବାର ଆସୋସିଏସନ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ବାଗତ କରିଯିବା ସହ ସମ୍ମାନସ୍ୱରୂପ ଆରାଧ୍ୟ ଦେବତା ଶ୍ରୀରଘୁନାଥ ଜିଉଙ୍କ ଫଟୋ ପ୍ରଦାନ କରାଯାଇଥିଲା। ମାନ୍ୟବର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସରଣ ଓଡ଼ଗାଁ ମାଟିର ଭୈାଗୋଳିକ ସ୍ଥିତି, ଆରାଧ୍ୟଦେବତା ଶ୍ରୀ ରଘୁନାଥଜୀଉ ମନ୍ଦିର ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ନୂତନ କୋର୍ଟ କମ୍ପ୍ଲେକ୍ସର ଅବସ୍ଥିତିର ଭୁୟଶୀ ପ୍ରଶଂସା କରିଥିଲେ। କୋର୍ଟ ଆଧୁନିକଶୈଳୀର ନିର୍ମାଣ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଏବଂ ଏହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ବୋଲି ବକ୍ତବ୍ୟ ରଖିଥିଲେ।ମାନ୍ୟବର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା କୋର୍ଟର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ । ଓଡ଼ଗାଁ ମାଟିର ବରପୁତ୍ର ଜଷ୍ଟିସ ଡ଼ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଆନ୍ତରିକ ଉଦ୍ୟମ ,ଦୃଢ଼ ଇଚ୍ଛାଶକ୍ତି ,ନିଷ୍ଠାପରତା ବଳରେ ଓଡ଼ଗାଁ କୋର୍ଟ ସ୍ଥାପନ ସମ୍ଭବପର ହୋଇଥିବା ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ପୂଜାହାରି କହିଥିଲେ ।

ସାଧାରଣ ଲୋକଙ୍କୁ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହେବ,ଓଡ଼ଗାଁର ଆରାଧ୍ୟ ଶ୍ରୀ ରଘୁନାଥଙ୍କ ନାମ ନେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧିଲାଭ ଉପରେ ଜଷ୍ଟିସ ଡ଼ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସ୍ମୃତିଚାରଣ କରିଥିଲେ । ସଭାଶେଷରେ ଓଡ଼ଗାଁ ବାର ଆସୋସିଏସନ ସମ୍ପାଦକ ବସନ୍ତ କୁମାର ମହାନ୍ତି ସମସ୍ତ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ କୋର୍ଟ ଗୃହ , ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାର ଆସୋସିଏସନ ଓ କ୍ୟାଣ୍ଟିନ,୨ କୋଟି ୧୨ ଲକ୍ଷ ମୂଲ୍ୟରେ ନିର୍ମିତ ଷ୍ଟାଫ କ୍ୱାଟର୍ସ କାର୍ଯ୍ୟକ୍ରମ ହୋଇଅଛି। ନୟାଗଡ଼ ଜିଲ୍ଲା ଦୌରା ଜର୍ଜ ରୂପଶ୍ରୀ ଚୈୖାଧୂରୀ, ଓଡ଼ଗାଁ ସିନିୟର ସିଭିଲ ଜର୍ଜ ଶିବାସିସି ଗିରି, ନ୍ୟାୟାଧିକାରୀ ଓ ଜେ.ଏମ୍ଏଫ.ସି ଗ୍ରାମ୍ୟ ନ୍ୟାୟାଳୟ ସୁଧାବାଇ ଅଗ୍ରୱାଲ, ସିଭିଲ୍ ଜର୍ଜ ଓ ଜେ.ଏମ୍.ଏଫ.ସି ଅପୂର୍ବ କୁମାର ରାଏ , ଜିଲ୍ଲାର ସମସ୍ତ ବିଚାରପତିମାନେ ଯୋଗ ଦେଇଥିଲେ। ନୟାଗଡ଼ କୋର୍ଟ ମ୍ୟାନେଜର ସଂଗ୍ରାମକେଶରୀ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟ ବିଚାରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ, ୩ ଜଣ ଡିଏସପି, ଆଡିଶନାଲ ଏସପି, ୫ଜଣ ଇନସ୍ପେକ୍ଟର, ୫ ଜଣ ସବ୍ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଏବଂ ୪୦ ଜଣ ହୋମଗାର୍ଡଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

