ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କମ ବୟସରେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି । ସେମାନଙ୍କ ରୋଜଗାର ପଇସାରେ ପରିବାର ସୁରୁଖୁରୁରେ ଚାଲିଥାଏ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ୨୧ ବର୍ଷୀୟ ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଚେନ୍ନାଇ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ସାପ କାମୁଡିବାରେ ତାଙ୍କର ଅକାଳ ବିୟୋଗ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳାଯୋଡ଼ି ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ଅରୁ ବେହେରା ଚେନ୍ନାଇ ଠାରେ ଜୟନ୍ତ ଫାଉଣ୍ଡେସନ ନାମକ ଏକ ଘରୋଇ କମ୍ପାନୀରେ ରଙ୍ଗ କାର୍ଯ୍ୟ କରି ଆସୁଥିଲେ । କମ୍ପାନୀ ଭିତରେ ଥିବା କଲୋନୀ ମଧ୍ୟରେ ସେ ରହୁଥିଲେ । ଗତକାଲି ରାତିରେ ଅରୁ ଖାଇବା ପରେ ନିଜ ରୁମରେ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତ୍ରିରେ ଏକ ବିଷଧର ସାପ ଅରୁଙ୍କୁ ଦଂଶନ କରିଥିଲା । ପାଖରେ ଥିବା ବନ୍ଧୁମାନେ ତୁରନ୍ତ ଅରୁଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଖବର ପାଇ ଚେନ୍ନାଇରେ ଥିବା ଅରୁଙ୍କ ବଡ଼ ଭାଇ ଗୁରୁ ବେହେରା ହସ୍ପିଟାଲରେ ପହଞ୍ଚିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଅରୁଙ୍କ ପ୍ରାଣହାନୀ ଘଟିଥିଲା । ଏଭଳି ଘଟଣା ପରେ ଚେନ୍ନାଇରେ ଥିବା ଓଡ଼ିଆ ଶ୍ରମିକ ମାନେ ଦୁଃଖ ପ୍ରକାଶ କରିବା ସହ କମ୍ପାନୀ ନିକଟରେ କ୍ଷତିପୂରଣ ଦାବି କରିଥିଲେ । କିନ୍ତୁ କମ୍ପାନୀ ସ୍ୱଳ୍ପ କିଛି ଟଙ୍କା ଦେଇ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅରୁଙ୍କ ମୃତ ଦେହ ପଠାଇଥିବାର ସୂଚନା ମିଳିଛି ।
ବିଷାକ୍ତ ସାପ କାମୁଡ଼ାରେ ଶ୍ରମିକ ମୃତ : କ୍ଷତିପୂରଣ ଦାବି କଲେ ପ୍ରବାସୀ ଓଡିଆ !!!

