!!! ବାଲୁଗାଁ ଅଞ୍ଚଳର ପ୍ରମୁଖ ଶୈବପୀଠ ଉମାମହେଶ୍ୱର ପୀଠର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସାଧାରଣ ଜନତା !!!
ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଉମାମହେଶ୍ୱର ବଣିକ ସଙ୍ଘ ପରିସରରେ ଅଠର ଖଣ୍ଡ ମୌଜାର ଶତାଧିକ ଜନତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ସୁରକ୍ଷା ନେଇ ବିଶାଳ ଜନ ଆନ୍ଦୋଳନ କରିଛନ୍ତି । ଏଥି ନିମନ୍ତେ ସମାଜସେବୀ ପ୍ରସାଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଅଠର ଖଣ୍ଡ ମୌଜା ତଥା ଏନ୍ଏସିର ପୁରୁଖା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ମୁତାବକ ଗତ ୧୧ ତାରିଖରେ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି ୯ ଜଣିଆ କମିଟି ଗଠନ ହୋଇଥିଲା । ଉକ୍ତ କମିଟିରେ ୯ ଜଣ କମିଟି ମେମ୍ବର ଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା । ମାତ୍ର ସାଧାରଣ ଜନତା ତଥା ବୁଦ୍ଧିଜୀବୀ ମହଲରେ ଏହି କମିଟିକୁ ଗ୍ରହଣ କରିପାରୁ ନଥିବାରୁ ମନ୍ଦିର ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା ।

ଏପରିକି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଥିଲା । ଯାହା ଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଲୋକଙ୍କ ସମାଗମ ହେବା ଉପରେ ରୋକ ଲାଗିବା ଫଳରେ ଅଦ୍ୟାବଧି ୧୪୪ ଧାରା ବଳବତ୍ତର ରହିଛି । ଶ୍ରଦ୍ଧାଳୁ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଆଜି ବାଲୁଗାଁ ସଚେତନ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଅଠର ଖଣ୍ଡ ମୌଜାର ସାଧାରଣ ଜନତା ଦୃଢ଼ ବିରୋଧ କରିଛନ୍ତି ଏବଂ “ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବ ସୁରକ୍ଷା ମଞ୍ଚ ଗଠନ କରାଯାଇ ଏହା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟ ଭବିଷ୍ୟତରେ ଏହି ନୂତନ କମିଟିକୁ ରଦ୍ଦ କରି ସୁରକ୍ଷା ମଞ୍ଚ ପରାମର୍ଶରେ ଏକ ନୂତନ ପରିଚାଳନା କମିଟି ଗଠନ କରିବାକୁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯିବାକୁ ସ୍ଥିରିକୃତ କରାଯାଇଥିବା ବେଳେ ଆଗାମି ଦିନରେ ମନ୍ଦିର ପରିଚାଳନା ସୁରୁଖୁରୁରେ ସମ୍ପାଦନା କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଛି ।

