ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମଙ୍ଗଳବାର ଦିନ ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଥିବାର ଜଣାପଡିଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲଙ୍କ ସୂଚନା ମୁତାବକ ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଛନ୍ତି । ଯାହାକି ଗତ ବର୍ଷ ୧୨ ଲକ୍ଷ ୪୨ ହଜାର ୮୨୬ ରୁ ବହୁତ କମ । ସୂଚନା ମୁତାବକ ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିଲେ । ଟାଙ୍ଗୀ ଜୋନରେ ୮ଟି ଟିମ , ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି, ରମ୍ଭାରେ ୨ ଟି ଏବଂ କୃଷ୍ଣପ୍ରସାଦରେ ୩ ଟି ଟିମ ନିୟୋଜିତ ରହିଥିଲେ ।

ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେସଜ୍ଞ , ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ । ଗତବର୍ଷ ସମୁଦାୟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ହଜାର ୮୨୬ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୧୧ ପ୍ରଜାତିର ୧୨ ଲକ୍ଷ ୦୪ ହଜାର ୩୫୧ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ବହଜାର ୪ ଶହ ୭୫ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ । ସେହିପରି ଭାବେ ଚଳିତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି ।

