ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେବାରେ ଲାଗିଛି । ଗାଁ ଗଣ୍ଡା, ରାସ୍ତାଘାଟ ସବୁଠି ନିର୍ବାଚନୀ ଚର୍ଚ୍ଚା । ସେହିପରି ଭାବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳିରେ ମଧ୍ୟ ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି । ମୈଦାନରେ ଉଭୟ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ନିଜର ସ୍ଥିତିକୁ କଂଗ୍ରେସ ମଜବୁତ କରିବା ଲାଗି ପ୍ରୟାସ କରୁଛି । ତେବେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ହୃତସ୍ପନ୍ଦନ ସେତେ ବଢ଼ି ବଢ଼ି ଯାଉଛି । ନିଜ ଦଳୀୟ ଏବଂ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନ ରାତି ଏକ କରି ଦେଉଛନ୍ତି ନେତାମାନେ । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଶତାଧିକ ମହିଳା ବିଜେପିରେ ଯୋଗ ଦେଇଛନ୍ତି ।
ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଝିଣ୍ଟିକାପଲ୍ଲୀ ସ୍ଥିତ ମା’ ତାରିଣୀ ମନ୍ଦିର ପରିସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଏବଂ ମହିଳା ସଶକ୍ତିକରଣକୁ ଲକ୍ଷ୍ୟ ରଖି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ କାର୍ଯ୍ୟ ଆରମ୍ଭ କରି ଦେଇଥିବାର ମହିଳା ମାନେ କହିଛନ୍ତି । ସେହିପରି ଭାବେ ବିଜେପି ସଦାବେଳେ ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଛି ଏବଂ ଆଜି ଉକ୍ତ ମହିଳାଙ୍କ ଦଳରେ ମିଶିବା ଫଳରେ ତୁମୁରାପୁଟ ପଞ୍ଚାୟତରେ ବିଜେପିର ଶକ୍ତି ନିଶ୍ଚିତ ଭାବେ ବୃଦ୍ଧି ପାଇଛି ଓ ଆଗାମି ନିର୍ବାଚନରେ ତୁମୁରାପୁଟ ପଞ୍ଚାୟତରେ ଦଳୀୟ ଏବଂ ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀ ମାନେ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳେଇ, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଏବଂ ଅନ୍ୟ ବିଜେପି ନେତା ମାନେ ଉପସ୍ଥିତ ଥିଲେ ।

