ବାଣପୁର ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ !!!

Spread the love

ବାଣପୁର ( ଆୱାଜ ମିଡିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଶେଷ ହେଲା ଗଣତନ୍ତ୍ରର ମହାପର୍ବ ପଞ୍ଚାୟତ ନିର୍ବାଚନ। ବାଣପୁର ବ୍ଲକ ଜିଲ୍ଲା ରାଜନୀତିରେ ପ୍ରମୁଖ ଭୁମିକା ନିଭାଉଥିବା ବେଳେ ସମସ୍ତଙ୍କ ଆଖି ଥିଲା ଏଠାକାର ପଞ୍ଚାୟତ ନିର୍ବାଚନ ଉପରେ। ପୁର୍ବରୁ ଉକ୍ତ ବ୍ଲକରେ ଶାସକ ଦଳର ଦୁଇ ଛାମୁଆ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ହେଉ କିମ୍ବା ଶାସକ ବିରୋଧୀ କର୍ମୀ ମୁହାଁମୁହିଁ ସଦାବେଳେ ରାଜନୈତିକ ତିକ୍ତତା ଲାଗି ରହିଆସୁଛି। ଏହି ପରିସ୍ଥିତିରେ ବାଣପୁରରେ ଶାନ୍ତିଶୃଙ୍ଖଳା ଭାବେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିବା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିବାବେଳେ ଏହାକୁ ସଫଳତାର ସହ ପାର କରିପାରିଛି ଜିଲ୍ଲା ପୋଲିସ ପ୍ରଶାସନ। ଆଜି ବାଣପୁରରେ ସମ୍ପୂର୍ଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି ପଞ୍ଚାୟତ ନିର୍ବାଚନ। ବ୍ଲକରେ ସମୁଦାୟ ୬୮.୮୩ ପ୍ରତିଶତ ମତଦାନ ଅନୁଷ୍ଠିତ ହୋଇଥିବାର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ସୂଚନା ଦେଇଛନ୍ତି। ଗଣତନ୍ତ୍ରରେ ଜନତା ଜନାର୍ଦନ ହିଁ ସବୁକିଛି ବୋଲି କହିଛନ୍ତି ଏସଡିପିଓ। ପୋଲିସର ଅନୁରୋଧକୁ ରକ୍ଷା କରି ଉକ୍ତ ନିର୍ବାଚନକୁ ସଫଳ କରିବା ଦିଗରେ ବାଣପୁର ବାସି ସମ୍ପୃର୍ଣ ସହଯୋଗ କରିଥିବାରୁ ଭୋଟରକୁ ପ୍ରଶଂସା କରିଛନ୍ତି ଶ୍ରୀ ବାରିକ। ସୂଚନା ଥାଉକି ବାଣପୁର ବ୍ଲକରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଥିଲା l ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦେଶକ୍ରମେ ଏବଂ ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିଲା ବାଣପୁର ବ୍ଲକ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ , ଯାହାର ମଙ୍ଗ ଧରିଥିଲେ ଖୋଦ ବାଲୁଗାଁ ଏସଡିପିଓ। ନିର୍ବାଚନ ପାଇଁ ସମଗ୍ର ବାଣପୁର ବ୍ଲକକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା। ବ୍ଲକର ସତର ଗୋଟି ପଞ୍ଚାୟତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ କୁମାର ପଣ୍ଡା, ଡ଼ିଏସପି ନିରୁପମା ମଲ୍ଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ଆଇଆଇସି କାଁହୁଚରଣ ସ୍ୱାଇଁ, ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ, ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରା, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆ, ଗମ୍ଭାରୀମୁଣ୍ଡା ବିଟହାଉସ ଅଧିକାରୀ ହାଡିବନ୍ଧୁ ନାୟକ, ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନାର ସମସ୍ତ ଏସଆଇ, ଏଏସଆଇ ଏବଂ ୧୦ ପ୍ଲାଟୁନ ପୋଲିସ ଫୋର୍ସକୁ ନିୟୋଜିତ କରାଯାଇଥିଲା l ତେବେ ନିର୍ବାଚନରେ କୌଣସି ପ୍ରକାର ହିଂସା ଘଟିନଥିବାର ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

Leave a Reply

Your email address will not be published. Required fields are marked *