ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖା ଦେଉଛି । ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ ଜୋର କରିବାରେ ରାଜନୈତିକ ଦଳର ପ୍ରାର୍ଥୀ ମାନେ ଲାଗି ପଡିଛନ୍ତି । କିନ୍ତୁ ପ୍ରଚାର ମୈଦାନରେ ବିରୋଧୀ ଦଳ ବିଜେପି ଆଗୁଆ ଥିବା ଭଳି ମନେ ହେଉଥିବା ବେଳେ ଶାସକ ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ କର୍ମୀମାନେ ହତୋତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି । ସାରା ରାଜ୍ୟରେ ଶାସକ ବିଜେଡି ତ୍ରିସ୍ତରୀୟ ପଞ୍ଚୟତରେ ବାଜିମାତ କରିଥିବା ବେଳେ ପୌର ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି । ସେଥିପାଇଁ ବାଲୁଗାଁ ଏନଏସିରେ ବିଜେଡ଼ି ବାଜିମାତ କରିବା ପାଇଁ ଦଳ ଅଣ୍ଟା ଭିଡିଛି । ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ଅପରାହ୍ନରେ ବାଲୁଗାଁ ହନୁମାନ ପରିବା ଆସୋସିଏସନ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏନଏସି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଏମପି ପ୍ରତିନିଧି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ସମାଜସେବୀ ଶଙ୍କର ପାଇକରାୟ ଏବଂ ଏନଏସି ପ୍ରାର୍ଥୀନୀ ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ । ଅନୁଷ୍ଠିତ ସଭାରେ ଚିଲିକା ନିର୍ବାଚନ ମଣ୍ଡଳିରେ ପୌର ନିର୍ବାଚନ ପାଇଁ ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ । ଏ ନେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଥିବା ସେ କହିଛନ୍ତି । ଆସନ୍ତା ପୌର ନିର୍ବାଚନରେ ଉଭୟ ବାଣପୁର ଓ ବାଲୁଗାଁ ଏନଏସିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଶ୍ରୀ ସାହୁ ।

