ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ . ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ଵସ୍ତିକର ଖବର ଆସିଛି । ବିଧାୟକଙ୍କୁ ଏକ ପୂର୍ବ ମାମଲାରେ ଜାମିନ ମିଳିଛି । ବିଧାୟକଙ୍କୁ ବାଣପୁର ସହକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଜିଆର କେଶ ନମ୍ବର ୭୨ / ୨୨ ତଥା ବାଣପୁର ଥାନା କେଶ ନମ୍ବର ୮୧ / ୨୨ ରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି । ସୂଚନା ଥାଉକି ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଦିନ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭାଙ୍ଗି ଦେଇଥିଲେ । ଏଥି ନିମନ୍ତେ ଜିତେନ୍ଦ୍ର ଙ୍କ ଭାଇ ପ୍ରଦୀପ ଭୋଳ ଘଟଣା ଦିନ ରାତିରେ ବାଣପୁର ଥାନାରେ ଏତଲା ଦେବା ପାଇଁ ଯାଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଥାନା ପରିସରରେ ତାଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ପୋଲିସ କେଶ ନମ୍ବର ୮୧ / ୨୨ ରେ ମାମଲା ରୁଜୁ କରିଥିଲା , ଯେଉଁଥିରେ ୧୫ ନମ୍ବର ଅଭିଯୁକ୍ତ ଭାବେ ଚିଲିକା ବିଧାୟକ ଥିଲେ । ବିଧାୟକଙ୍କ ଓକିଲ ପକ୍ଷରୁ ଉକ୍ତ କେଶରେ ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ବିଚାରପତି ତାହାକୁ ଖାରଜ କରିଦେଇଥିଲେ। ଏହାପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ହୋଇଥିଲା । ବିଧାୟକଙ୍କ ପକ୍ଷରୁ ଉକ୍ତ ମାମଲାକୁ ଆଇନଜୀବୀ ସୁଧୀର ପ୍ରଧାନ, ଜଗନ୍ନାଥ ଭୋଳ ଏବଂ ରଞ୍ଜନ ବେଦମତ୍ତା ପରିଚାଳନା କରୁଥିଲେ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ !!!

