ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି । ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି । ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି । ଗତବର୍ଷ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ, ସରକାରଙ୍କ ୫-ଟି ନିୟମକୁ ପ୍ରଥମେ ପ୍ରାଧାନ୍ୟ ଦେଇଥିଲେ ଏବଂ ଅକ୍ଟୋବର ୨୩ ତାରିଖରେ ସୋସିଆଲ୍ ମିଡିଆ ଟୁଇଟର ସହ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌରାଞ୍ଚଳ ଏବଂ ଅନ୍ୟ ଗୁରୁତ୍ୱ ବିଭାଗକୁ ମିଶାଇ ସମୁଦାୟ ୩୭ ଗୋଟି ନୂତନ ଆକାଉଣ୍ଟକୁ ଯୋଡ଼ିଥିଲେ । ଉଦ୍ଦେଶ୍ୟ ଥିଲା ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ । ତତ ସହିତ ସମସ୍ତ ସରକାରୀ ତଥା ଜନହିତକର କାର୍ଯ୍ୟକ୍ରମ ଗୁଡିକର ସୂଚନା ଉକ୍ତ ଆକାଉଣ୍ଟରେ ପୋଷ୍ଟ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ । ଯାହା ଫଳରେ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢି ଉଠିବା ସହିତ ସରକାରୀ କର୍ମଚାରୀ ମାନେ ନିଜର କାର୍ଯ୍ୟକୁ ତ୍ଵରିତ କରି ପାରିବେ । କିନ୍ତୁ ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ହେଉଥିବାର ଦେଖିବାକୁ ମିଳୁଛି । ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି, ବାଲୁଗାଁ ଏନଏସି, ଚିଲିକା ତହସିଲ ଓ ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଛି । ପ୍ରଶାସନ ତରଫରୁ ଟୁଇଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ । ଏହା ସହ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି । ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଜନସାଧାରଣ ଟୁଇଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ । ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟୁଇଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥିବା ବେଳେ ଅନ୍ୟ ପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଉଛି । ଯାହା ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟକାରୀ କରିଥିବା ‘ ଓସ୍ୱାସ’ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି । ସୂଚନା ଥାଉକି ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟରେ ଶେଷ ଅପଡେଟ ଏପ୍ରିଲ ୩ ରେ ହୋଇଥିବା ବେଳେ ଚିଲିକା ତହସିଲର ଗତବର୍ଷ ଡ଼ିସେମ୍ବର ୩ ରେ ହୋଇଥିଲା । ସେହିପରି ଭାବେ ବାଣପୁର ବ୍ଲକର ଗତବର୍ଷ ଡ଼ିସେମ୍ବର ୧୮ ତାରିଖ, ଚିଲିକା ବ୍ଲକର ମଇ ୬ ତାରିଖ, ବାଣପୁର ଏନଏସି ର ମଇ ୫ ତାରିଖ ଏବଂ ବାଲୁଗାଁ ଏନଏସି ର ମାର୍ଚ୍ଚ ୧୮ ତାରିଖରେ ଶେଷ ଟ୍ୱିଟର ଅପଡେଟ କରାଯାଇଥିଲା । ଅନୁରୂପ ଭାବେ ବାଣପୁର ତହସିଲ ଟ୍ୱିଟର ଆକାଉଣ୍ଟରୁ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ମାର୍ଚ୍ଚ ୧୩ ତାରିଖରେ ଏବଂ ଚିଲିକା ତହସିଲ ଟ୍ୱିଟର ଆକାଉଣ୍ଟରୁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ଦିଆ ଯାଇଥଲା । ସେହିପରି ଭାବେ ବାଣପୁର ବ୍ଲକର ମାର୍ଚ୍ଚ ୫ ତାରିଖ, ବାଣପୁର ଏନଏସି ର ଗତବର୍ଷ ଡ଼ିସେମ୍ବର ୧୦ ତାରିଖ, ବାଲୁଗାଁ ଏନଏସି ର ଗତବର୍ଷ ଫେବୃଆରୀ ୭ ତାରିଖରେ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ଦିଆଯାଇଥିବା ବେଳେ ଚିଲିକା ବିଡ଼ିଓଙ୍କ ଆକାଉଣ୍ଟରୁ ଜମାବି ଉତ୍ତର ଦିଆ ଯାଇନାହିଁ ।