ଚିଲିକାରେ ବେଧଡକ ଚାଲିଛି ବେଆଇନ ଗୁଟଖା ବେପାର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତମାଖୁର ଭୟାବହତା ନେଇ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ମେ ୩୧ ତାରିଖକୁ ପ୍ରତିବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ତମାଖୁ ଜନିତ ହୃଦରୋଗ ସମ୍ବନ୍ଧରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟ ବିକ୍ରୟ ଓ କ୍ରୟ ନିୟନ୍ତ୍ରଣ ହୋଇ ପାରିନାହିଁ । ୨୦୧୩ ମସିହା ଠାରୁ ଗୁଟଖା ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କିନ୍ତୁ ଅଦ୍ୟାବଧି ୯ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହା ଉପରେ ଅଙ୍କୁଶ ଲାଗି ପାରିନାହିଁ । ବିଦ୍ୟାଳୟ ଠାରୁ ଆରମ୍ଭ କରି, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଅବା ବେସରକାରୀ କାର୍ଯ୍ୟାଳୟ ପାଖରେ ବିଭିନ୍ନ ସ୍ଥାନରେ ଖୁଲମଖୁଲା ଗୁଟଖା ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି । ଦୋକାନ ସାମ୍ନାରେ ମାଳ ମାଳ ଗୁଟଖା ରଖି ବେପାରରେ ମସଗୁଲ ରହୁଛନ୍ତି ବେପାରୀ । ନାଁ ଅଛି କାହାକୁ ଡର ନାଁ କୌଣସି ଆଇନକୁ ସମ୍ମାନ । କୋଟପା ଆଇନ ଧାରା ୬ ରେ ବିଦ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ତମାଖୁ ବିକ୍ରି ନେଇ କଟକଣା ଜାରି କରାଯାଇଥିଲେ ସୁଦ୍ଧା ଗୁଟଖା ବେପାରି ମାନେ ଏହାକୁ ଅଣଦେଖା କରୁଥିବାର ନଜିର ରହିଛି । ତମାଖୁ ସେବନରେ ଅଭ୍ୟସ୍ତ ବ୍ୟକ୍ତି ବିଶେଷ ଏହାର କୁପ୍ରଭାବ ଜାଣି ମଧ୍ୟ ଅଭ୍ୟାସରୁ ନିବୃତ୍ତ ହୋଇ ପାରୁନାହାନ୍ତି । ଏପରିକି ସଚେତନତା ଅଭାବରୁ ଅଧିକାଂଶ କିଶୋର, ଯୁବପିଢ଼ି କୁସଙ୍ଗରେ ପଡି ତମାଖୁ ସେବନ କରିଥାନ୍ତି । ତମାଖୁ ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ତଥା କର୍କଟ, ଯକ୍ଷ୍ମା ଭଳି ମାରାତ୍ମକ ରୋଗର ମୂଳ ଉତ୍ସ ଜାଣି ମଧ୍ୟ ଦିନକୁ ଦିନ ଗୁଟଖା ବେପାର ବଢ଼ିବାରେ ଲାଗିଛି ।

ସମ୍ପ୍ରତି ଚିଲିକା ନିର୍ବାଚନ ମଣ୍ଡଳୀରେ ଗୁଟଖା ଅଭ୍ୟସ୍ତ ଅନେକ ମୁଖ କର୍କଟ ଏବଂ ଯକ୍ଷ୍ମା ରୋଗରେ ପୀଡିତ ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ କେତେକ ମୃତ୍ୟୁ ମୁଖରେ ମଧ୍ୟ ପଡିଛନ୍ତି । ତମାଖୁ ବର୍ଜନ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ମେ ୩୧ ରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯିବା ସହ ସଚେତନତା ବାର୍ତ୍ତା ଦିଆଯାଇଥାଏ । ଏପରିକି ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ତମାଖୁ ନିଷେଧ ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ଏସବୁ କେବଳ ସରକାରୀ କାଗଜ କଲମରେ ସୀମିତ ମାତ୍ର । ପ୍ରଶାସନ ପକ୍ଷରୁ ତମାଖୁ ବିକ୍ରି ଉପରେ ଠିକ ଭାବେ ଧରପଗଡ଼ ହେଉ ନଥିବାରୁ ଦିନକୁ ଦିନ ଗୁଟଖା ବେପାର ବଢ଼ିବାରେ ଲାଗିଛି । ରାଜ୍ୟରେ କୋଟପା ଆଇନ ସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ ଆଇନ ଲାଗୁ ହୋଇଥିଲେ ମଧ୍ୟ ଏହାର ବିକ୍ରି ଉପରେ କଟକଣା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଯାହା ଫଳରେ ତମାଖୁ ସେବନକାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନକଲି ତମାଖୁ ପ୍ରସ୍ତୁତକାରି ସଂସ୍ଥା ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତ କରି ବଜାରରେ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିକ୍ରି କରୁଛନ୍ତି । ଏଥି ସହିତ ବ୍ୟବସାୟୀ ମାନେ ଏସବୁ ନକଲି ଗୁଟୁଖା ବିକି ଭଲ ଦିପଇସା ରୋଜଗାର କରୁଥିବା ସାଧାରଣରେ ଆଲୋଚନା ହେଉଛି । ଯାହା ଫଳରେ ବେପାରୀ ମାଲାମାଲ ହେବା ସାଙ୍ଗକୁ ଅଞ୍ଚଳରେ ତମାଖୁ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ବାଣପୁର ଅଞ୍ଚଳରେ ଅବାଧ ଗୁଟଖା ବିକ୍ରି ଉପରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରାଯାଇଛି । ନୂତନ ଖୋର୍ଦ୍ଧା ଜିଲ୍ଲାପାଳ ଓ ସିଡ଼ିଏମଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଥାଉକି ଚଳିତ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସରେ ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ’ (ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ମଧ୍ୟ ହୋଇଛି । ତେବେ ବଜାରରେ ଦୋକାନ ମାନଙ୍କରେ ଗୁଟଖାର ମାଳ ଦେଖିଲେ ଏହା ଉପରେ ସୃଷ୍ଟି ହେଉଛି ପ୍ରଶ୍ନବାଚୀ ।

Leave a Reply

Your email address will not be published. Required fields are marked *