ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ଗୋଟିଏ ଗାଡିକୁ ଅଞ୍ଚଳବାସୀ ଅଟକ ରଖି ଥାନାରେ ଜିମା ଦେଇଛନ୍ତି । ଖବର ମୁତାବକ ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ବାଣପୁର ଏନଏସି ଚିଆଁଙ୍କ ସାହିର ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଉକ୍ତ ସାହିର କିଛି ଯୁବକ ଭୋଜି ନେଇ ସେମାନଙ୍କ ବଡ଼ସିରେଇପୁର ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ କୋଳଥଡିହ ଛକରେ ହଠାତ ସେମାନଙ୍କୁ ଏକ ଡ଼ାଲା ଅଟୋ କ୍ଷିପ୍ର ଗତିରେ ଓଭରଟେକ କରିଥିଲା । ଉକ୍ତ ଡ଼ାଲା ଅଟୋରେ ଏକ ଗାଈ ବନ୍ଧା ହେଇଥିବାର ଯୁବକ ମାନେ ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଗାଡିର ପିଛା କରି ଗାଡ଼ିକୁ ଅଟକାଇ ଥିଲେ । ତେବେ ଗାଡ଼ି ଚାଳକଙ୍କୁ ଏ ବାବଦରେ ପଚାରିବାରୁ ସେ ଯୁବକଙ୍କ ସହ ଯୁକ୍ତି କରିଥିଲେ ଏବଂ ଗାଈକୁ ବେରୁଆଁବାଡ଼ି ଗ୍ରାମରୁ କିଣି ସଲପଡିହ ଯାଉଥିବାର କହିଥିଲେ । ତେବେ ଗାଈ କିଣିବା ସମ୍ବନ୍ଧୀୟ କୌଣସି ପ୍ରମାଣ ଦେଖାଇ ନପାରିବାରୁ ଯୁବକ ମାନେ ଗୋରୁ ଚାଲାଣ ସନ୍ଦେହରେ ଉକ୍ତ ଗୋରୁ ବୋଝେଇ ଅଟୋ ସହ ଚାଳକଙ୍କୁ ପୋଲିସ ଜିମା ଦେଇଥିଲେ । ବାଣପୁର ପୋଲିସ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଗାଡ଼ି ଚାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ଘର ସଲପଡିହ ଗ୍ରାମ ବୋଲି ଜଣା ପଡିଛି ।
ଗୋରୁ ଚାଲାଣ ସନ୍ଦେହରେ ଗାଡ଼ିକୁ ଅଟକ ରଖି ଥାନାରେ ଜିମା ଦେଲେ ଅଞ୍ଚଳବାସୀ !!!

