ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ ରକ୍ଷକ ’ ଆୟୋଜିତ ହୋଇଛି । ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ତାଲିମ ପାଇବେ । ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ । ଏହା ଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳି ପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ବକ୍ତାମାନେ ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ବକ୍ତା ମାନେ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ, ଏହା ସମାଜର ତଥା ଅର୍ଥନୀତିର ମଧ୍ୟ ବଡ କ୍ଷତି । ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର । ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ଅତିଥି ମାନେ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକଙ୍କୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି । ଆଜି ଏହି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର୍ ମାନେ ଫାଷ୍ଟ ରେସ୍ପଣ୍ଡର ବ୍ୟକ୍ତି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଏନସିସି ଛାତ୍ରଛାତ୍ରୀ, ଡ୍ରାଇଭର, ସମାଜସେବୀ ଓ ସ୍ବେଚ୍ଛାସେବୀଙ୍କ ସମେତ ପ୍ରାୟ ୨୦୦ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରଥମେ ଏହି କାର୍ଯ୍ୟକ୍ରମକୁ ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିରେ ମାଷ୍ଟର ଟ୍ରେନର୍ ଭାବେ ସିଭିଲ ଡିଫେନ୍ସ ବାଉରୀବନ୍ଧୁ ବେଜ, ପ୍ରତାପ କୁମାର ପରିଡ଼ା, ଧନଞ୍ଜୟ ପ୍ରଧାନ, ଆକ୍ରମ ବାରିକ, ଅଭିରାମ ଖୁଣ୍ଟିଆ, ପ୍ରତାପ ମହାନ୍ତି, ସରୋଜ ପ୍ରଧାନ ଓ ତାଳଚେର ମହାବିଦ୍ୟାଳୟର ପ୍ରିନ୍ସପାଲ ବିନୟ ଖିଲାର ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଆହତ ବ୍ୟକ୍ତିମାନଙ୍କୁ କିପରି ଯଥା ଶୀଘ୍ର ଉଦ୍ଧାର କରି ଚିକିତ୍ସା କରାଯାଇ ପାରିବ,ସେ ସବୁ କୌଶଳ ଶିକ୍ଷା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ବିଭାଗ ତରଫରୁ ଅନୁଗୋଳ ଜିଲ୍ଲାରେ ଗୁଡ୍ ସମାରିଟାନ୍ ଆଓ୍ବାର୍ଡରେ ସମ୍ମାନିତ ହୋଇଥିବା ସମାଜସେବୀ ବାପି ମହାନ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଆରଟିଓ ଶ୍ରୀଯୁକ୍ତ ପଟ୍ଟନାୟକ ” ସୋଲାସିୟମ ଫଣ୍ଡ ଓ ଗୁଡ୍ ସମାରିଟାନ୍ ଆଓ୍ବାର୍ଡ ” ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ପୋଲିସ ଇନ୍ସପେକ୍ଟର ବିପ୍ଲବ ସାହୁ କହିଥିଲେ ଯେ ଉଦ୍ଧାରକାରୀ ବ୍ୟକ୍ତିଙ୍କ ନାମରେ କୌଣସି ମୋକଦ୍ଦମା ରୁଜୁ କିମ୍ବା ସାକ୍ଷ୍ୟ ପ୍ରମାଣ ପାଇଁ କୌଣସି ଅସୁବିଧାର ସମୁଖୀନ ହେବାକୁ ପଡିବ ନାହିଁ ।
ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟରେ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ !!!

