ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପରିବେଶ ସଚେତନତା ପାଇଁ ନିରନ୍ତର କାମ କରି ଆସୁଥିବା ସାମାଜିକ ସଂଗଠନ ପ୍ରେରଣା ତରଫ ରୁ ନିଆରା ପ୍ରୟାସ ! ପାର୍ବଣ ପ୍ରଦୂଷଣ ରୋକିବା ପାଇଁ ପ୍ରେରଣା ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ! ସମ୍ପ୍ରତ୍ତି ବର୍ଷାରୁତୁର ଶେଷ ସମୟ ଆଡକୁ ପାର୍ବଣର ରୁତୁ ଆସିଛି । ଆମେ ଓଡିଶା ବାସୀ ବାରମାସରେ ତେର ପର୍ବ ପାଳି ଆସିଥିଲେ ମଧ୍ୟ ଗଣେଶ ପୂଜାଠାରୁ ଦୀପାବଳି ପର୍ଯ୍ୟନ୍ତ ଏହି ସମୟରେ ବହୁ ମାଟି ନିର୍ମିତ ଦେବାଦେବୀଙ୍କର ପୂଜାର୍ଚ୍ଚନା ମହା ଆଡ଼ମ୍ବରରେ କରାଯାଏ । ମାଟିମୂର୍ତ୍ତି ଗୁଡିକରେ ସଦାସର୍ବଦା ରାସାୟନିକ ରଙ୍ଗ ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା ଆର୍ସେନିକ, ପାରଦ, କ୍ରୋମିୟମ, କାଡମୋନିୟମ ଆଦି ବିଷାକ୍ତ ଭାରି ଧାତୁ ଯାହାକି ନଦୀଜଳକୁ ପ୍ରଦୁଷିତ କରିଥାଏ , ଯାହା ମନୁଷ୍ୟ ତଥା ପଶୁପକ୍ଷୀଙ୍କର ପେଟ ଜନିତ ରୋଗ ସୃଷ୍ଟି କରିବାରେ ମୁଖ୍ୟ କାରଣ ହୋଇଥାଏ । ସେହିପରି ମୂର୍ତ୍ତି ଗୁଡିକୁ ଚିକ୍କଣ କରିବା ପାଇଁ ପ୍ଲାଷ୍ଟର ପ୍ଯାରିସ ଆଦି ପରିବେଶ ପ୍ରଦୂଷଣ ଜନିତ ଦ୍ରବ୍ୟ ବ୍ଯବହାର ହୋଇଥାଏ । ମୂର୍ତ୍ତି ଗୁଡିକୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନେଲାବେଳେ ଉଚ୍ଚ ଶବ୍ଦର ଡିଜେ ବଜାଇବା ଓ ବାଣ ଫୁଟାଇବା ଦ୍ବାରା ଶବ୍ଦ ପ୍ରଦୂଷଣ ହୋଇ କର୍ଣ୍ଣରୋଗ, ହୃଦରୋଗ, ମା ପେଟରେ ଥିବା ଶିଶୁ ମଧ୍ୟ ପ୍ରଭାବିତ ହୋଇଥାଏ । ସେହିପରି ବାଣ ଆଦିରୁ ବିଷାକ୍ତ ଧୂଆଁ ଯାହାକି ଯକ୍ଷ୍ମା, ଶ୍ବାସ, ଫୁସଫୁସ ଜନିତ ରୋଗ ସୃଷ୍ଟି କରିଥାଏ । ତେଣୁ ପାର୍ବଣ ରୁତୁରେ ତିଆରି କରାଯାଇଥିବା ମୁର୍ତ୍ତି ମାନଙ୍କରେ ପ୍ରାକୃତିକ, ହର୍ବାଲ ରଙ୍ଗ ବ୍ଯବହାର କରିବା, ନଦୀ ପୋଖରୀରେ ମୂର୍ତ୍ତି ବିସର୍ଜନ ନକରି ପୂଜାମଣ୍ଡପ ନିକଟରେ କିମ୍ବା ଅସ୍ଥାୟୀ ପୁଷ୍କରଣୀରେ ବିସର୍ଜନ କରିବା, ସ୍ବଳ୍ପ ଶବ୍ଦଯୁକ୍ତ ଡାକବାଜି ଯନ୍ତ୍ର ବ୍ୟବହାର କରିବା, ବିଶେଷ କରି ବାଣ ନ ଫୁଟାଇବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଭୂବନେଶ୍ବର ସ୍ଥିତ ଜୟଦେବ ଭବନ ସମୁଖରେ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ଜଣ ଚିତ୍ରଶିଳ୍ପୀ ଯୋଗଦାନ କରିଥିବା ବେଳେ ରାଜ୍ୟର ୨୦ ଟି ଜିଲ୍ଲାରୁ ୨୦୦ ଛାତ୍ରଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପରେ ସେମାନଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭା ଅବସରରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ନିଜ ବକ୍ତବ୍ଯରେ କହିଲେ ଆମେ ନିଜେ ପାର୍ବଣ ସମୟରେ ହେଉଥିବା ବାୟୁ, ଜଳ, ଶବ୍ଦ ପ୍ରଦୂଷଣ ସମ୍ପର୍କରେ ସଚେତନ ନହେଲେ ତାର ପରିଣତି ଆମ୍ଭେମାନେ ଭୋଗିବା ସହିତ ସାମାଜିକ ବର୍ଗ ତଥା ଜୀବଜନ୍ତୁ ଓ ପଶୁପକ୍ଷୀ ମାନେ ଭୋଗିବେ । ତେଣୁ ଚିତ୍ର ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଆଜିର ଶିବିରର ମୁଖ୍ୟ ଉଦ୍ଦେଶ୍ୟ । ଏହାପରେ ପ୍ରେରଣାର ସ୍ବେଚ୍ଛାସେବୀ ମାନେ ଚାରିଭାଗରେ ବିଭକ୍ତ ହୋଇ ଭୂବନେଶ୍ବରର ୪୦ଟି ପୂଜା ମଣ୍ଡପ ବୁଲି ପରିବେଶ ପ୍ରଦୂଷଣ ନକରିବା ପାଇଁ ଯେଉଁ ପନ୍ଥା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ପ୍ରଚାର ପତ୍ର ବାଣ୍ଟିବା ସହ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ବି.କେ. ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହାରଥା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବାର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଯୁବ ଶିକ୍ଷାବିତ୍ ସାହେବ ପତି, ପ୍ରେରଣାର ସଂଯୋଜକ ମନୋରଞ୍ଜନ ବାରିକ, ବର୍ଷା ଫାଉଣ୍ଡେସନର ସଭାପତି ବର୍ଷା ଦାସ , ବିଶିଷ୍ଟ ସଙ୍ଗାତ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଉପାଧ୍ୟକ୍ଷ ପ୍ରମୁଖ ଯୋଗଦାନ କରି ପ୍ରଦୂଷଣ କିପରି ଆମ ସମାଜକୁ ରାକ୍ଷସ ଭଳି କବଳିତ କରିଛି ସେ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭୂବନେଶ୍ବର ଭେଙ୍କଟେଶ୍ବର ସ୍କୁଲର ପ୍ରଶାନ୍ତ କୁମାର ଦାସ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।