ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଜମି ପଟା କୁ ନେଇ ପୁଣି ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ତହସିଲ କାର୍ଯ୍ୟାଳୟର ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ପୁଲିସ ସୂଚନା ଅନୁସାରେ ବାହାଳସାହି ଗ୍ରାମର ନରୋତ୍ତମ ଭୁତିଆ ଜମି ପଟା କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଗତ ମେ ମାସରେ ଆବେଦନ କରିଥିଲେ । ତେବେ ଆବେଦନର ୨ ମାସ ବିତି ଯାଇଥିଲେ କୈାଣସି କାର୍ଯ୍ୟ ନ ହେବାରୁ ଛେଣ୍ଡିପଦାର ବିଦ୍ୟାଧର ସେନାପତି ତାଙ୍କର ପଟା କାର୍ଯ୍ୟ କରିଦେବେ ବୋଲି କହିଥିଲେ । ଆଉ ଏହି ବାବଦକୁ ୩୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ତାଙ୍କ କହିବା ଅନୁଯାୟୀ ନରୋତ୍ତମ ଭୁତିଆଙ୍କ ପରିବାର ଲୋକ ମାନେ ୨୫ ହଜାର ଟଙ୍କା ଦେଇଥିଲେ । କିନ୍ତୁ ୨ ମାସ ବିତି ଯାଇଥିଲେ ମଧ୍ୟ ପଟା ନହେବାରୁ ପୁଣିଥରେ ବିଦ୍ୟାଧରଙ୍କୁ ଯୋଗାଯୋଗ କରିଥିଲେ । ବକେୟା ୫ ହଜାର ନଦେଲେ ତୁମ କାମ ହେବ ନାହିଁ କହିବା ସହିତ ନରୋତମ ତହସିଲ କାର୍ଯ୍ୟାଳୟରେ ପଟା ପାଇଁ ଦେଇଥିବା କାଗଜ ପତ୍ରକୁ ଫେରାଇ ଦେଇଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ ନରୋତମଙ୍କ ପରିବାର ଲୋକମାନେ ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ନରୋତମ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି । ଅଭିଯୋଗକୁ ଭିତିକରି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ଥାନା କେସ ନଂ ୪୨୧ / ୨୨ରେ ଦଫା ୪୧୯,୪୨୦,୩୮୪,୫୦୬,୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରିବା ସହିତ ବିଦ୍ୟାଧର ସେନାପତି ଜମି ପଟା ପାଇଁ ନରୋତମକୁ ଫେରାଇଥିବା କାଗଜପତ୍ରକୁ ଜବତ କରିବା ସହିତ ବିଦ୍ୟାଧର ସେନାପତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।