ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜୟ ଯବାନ, ଜୟ କିଷାନ ଶୁଣିବାକୁ ଯେତିକି ସୁମଧୁର ମାତ୍ର ଦେଶ ପାଇଁ ସେମାନଙ୍କ ବଳିଦାନ ତଥା କର୍ମତତ୍ପରତା ତୁଚ୍ଛ ବୋଲି ମନେହୁଏ ।ସଦାସର୍ବଦା ନିଜ କର୍ତ୍ତବ୍ୟରେ ଅବହେଳା ନକରି ପ୍ରତିଟି ମୁହୂର୍ତ୍ତରେ ସେବା ଯୋଗାଇ ଦେବା ସହ ପେଟକୁ ଦାନା ଯୋଗାଉଥିବା କୃଷକ ଆଜିର ଦୁନିଆରେ ନିଷ୍ପେସିତ ଅବସ୍ଥାରେ ଗତି କରୁଛି । କେଉଁଠି ବିହନରେ ଶୋଷିତ ହେଉଛି ତ କେଉଁଠି ସାର କଳାବଜାରୀର ଶିକାର ହେଉଛି । ପ୍ରତିଟି ମୁହୂର୍ତ୍ତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀ ମାନଙ୍କର ଉନ୍ନତି ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ବାଣପୁର ବ୍ଲକରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚାଷୀମାନେ ସୁଲଭ ଦରରେ ଉତ୍ପାଦିତ ଧାନ ଫସଲ କୁ ବିକିବା ଏବଂ ଉତ୍ପାଦନ ପାଇଁ ସାରକୁ କିପରି ସୁବିଧା ଏବଂ ସହଜରେ କିଣି ପାରିବେ ସେଥିପାଇଁ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗଠନ ହୋଇଥିବା ସୋସାଇଟି ମାଧ୍ୟମରେ କିଣାବିକା କରିବାକୁ ବ୍ୟବସ୍ଥା କରିଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ଏବଂ ଦେଓଗାଁ ସୋସାଇଟିର ଚାଷୀ ମାନେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ତଥା ସର୍ବନିମ୍ନ ସହାୟକ ମୂଲ୍ୟରେ ୟୁରିଆ ସାରକୁ ୨୬୬.୫୦ ଟଙ୍କା ବଦଳରେ ୩୦୦ ଏବଂ ୩୩୦ଟଙ୍କାରେ କିଣୁଥିବା ଅଭିଯୋଗ କରିଛନ୍ତି । ଏପରିକି ଏହି ଚଢା ଦରରେ ସାର ବିକ୍ରି କରୁଥିବା ମଧ୍ୟ ସୋସାଇଟିର ଅଧିକାରୀ ମାନେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । ଏ ସମ୍ବନ୍ଧରେ ବାଣପୁର କୃଷି ଅଧିକାରୀ ଅଜୟ କର ଏବଂ ଜିଲ୍ଲା ସହ ନିବନ୍ଧକଙ୍କୁ ଯୋଗାଯୋଗ କରିବାରେ ସରକାରୀ ଧାର୍ଯ୍ୟ ମୁଲ୍ୟଠାରୁ କେହି ଅଧିକ ଟଙ୍କାଟିଏ ଚାଷୀ ମାନଙ୍କ ଠାରୁ ନେଇ ପାରିବେ ନାହିଁ ବୋଲି କହିଛନ୍ତି ।ଏପରିକି ଏମଆରପି ଠାରୁ ଅଧିକ ମୂଲ୍ୟ ନେବା ଆଇନଗତ ଅପରାଧ । ଯଥାସମ୍ଭବ ଏହାର ତଦନ୍ତ କରାଯିବ ଏବଂ ସାର ଦୁର୍ନୀତିରେ ଜଡିତ ଥିବା ବ୍ୟକ୍ତି ବିଶେଷ ହେଉ ଅବା ସମ୍ପୃକ୍ତ ସୋସାଇଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀ କର କହିଛନ୍ତି । ଅପରପକ୍ଷେ କିଛି ଗଣମାଧ୍ୟମରେ ସାର କଳାବଜାରୀ ନେଇ ସୋସାଇଟିରେ ମହାଦୁର୍ନୀତି କଥା ଉଠିଲା ପରେ ଜନୈକ ସୋସାଇଟିର ମୁଖିଆ ସାମ୍ବାଦିକ ସମ୍ମିଳନୀ କରି ଆମ ବୋର୍ଡ ନିଷ୍ପତି କ୍ରମେ ଆମେ ମୂଲ୍ୟ ଧାର୍ଯ୍ୟ କରିଛୁ ବୋଲି ସଫେଇ ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସୋସାଇଟିର ନିର୍ବାଚିତ ସଭ୍ୟମାନେ କଣ ସରକାରଙ୍କ ନିଷ୍ପତି ଠାରୁ ଉର୍ଦ୍ଧରେ କି ? ଖାଲି ଏହି ଦୁଇଟି ସୋସାଇଟି ନୁହେଁ ପ୍ରାୟ ପ୍ରତ୍ୟେକ ସୋସାଇଟିରେ ଏହିଭଳି ଅଧିକ ମୂଲ୍ୟରେ ସାର ବିକ୍ରି ହେଉଥିବା ଜଣାଯାଇଛି । ତେବେ ସାର ବସ୍ତା ପିଛା ଅଧିକ ଟଙ୍କା ନେଉଥିବା ସୋସାଇଟିର ମୁଖିଆ ମାନେ ସରକାରଙ୍କ ତହବିଲକୁ ପଠାଉଛନ୍ତି ନାଁ ନିଜେ ଆତ୍ମସାତ କରୁଛନ୍ତି ତାହା ସନ୍ଦେହ ଘେରରେ । ଏସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀ ମାନେ ତଦନ୍ତ କରି ସାଧାରଣରେ ପ୍ରକାଶ କରିବା ସହ ଦୋଷୀ ମାନଙ୍କୁ ଦଣ୍ଡଦେବାକୁ ଚାଷୀ ମହଲରେ ଦାବି ଜୋର ଧରିଛି । ଏଥି ସହିତ ଯଦି ତୁରନ୍ତ ଏହାର ସମାଧାନ କରି ଉଚିତ ମୂଲ୍ୟରେ ସାର ବିକ୍ରୟ କରାନଯାଏ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ଚାଷୀମାନେ କହିଛନ୍ତି ।
ବାଣପୁର ଅଞ୍ଚଳରେ ଚାଷୀ ପେଟକୁ ନାତ : ସାର କଳାବଜାରୀରେ ମାଲାମାଲ ସୋସାଇଟି !!!

