ଆଇଓସିଏଲ ଓ ଉପକୂଳବାସୀଙ୍କ ସୁରକ୍ଷା ପାଇଁ ଜାତୀୟ ଗ୍ରୀନ ଟ୍ରିବୁନାଲର ଦ୍ବାରସ୍ଥ ହେବ ଜନଅଧିକାର ପାର୍ଟି !!!

Spread the love

ଭୁବନେଶ୍ବର ( ଆୱାଜ ମିଡିଆ ) – ନିରଞ୍ଜନ ସାହୁ : ପାରାଦ୍ବୀପ ତୈଳ ବିଶୋଧନଗାର ଆଇଓସିଏଲ ଏବଂ ଏହାର ଉପକୂଳ ଅଞ୍ଚଳ ଏବେ ମହାବିପଦ ଆଡକୁ ଅଗ୍ରସର ହେଉଛି । ଆଇଓସିଏଲ ପାଚେରୀ ସଂଲଗ୍ନ ୧୩ ଏକର କୃତ୍ରିମ ଜଙ୍ଗଲ ଉପରେ ଜମି ମାଫିଆ ଓ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଯଦି ଆଗାମୀ ଦିନରେ ପାଚେରୀ ସଂଲଗ୍ନ ଜମି ଉପରେ ଥିବା ୧୫ ହଜାରରୁ ଉର୍ଦ୍ଧ ମୂଲ୍ୟବାନ ପଟାସ ଓ ଝାଉଁ ଗଛଗୁଡିକୁ କାଟି ଦିଆଯାଏ ତେବେ ସାମୁଦ୍ରିକ ବାତ୍ଯା ଏବଂ ଜୁଆର ପ୍ରଭାବରେ ପ୍ରଭାବିତ ହୋଇ ଆଇଓସିଏଲ ଏବଂ ଏହାର ଉପକୂଳବାସୀଙ୍କର ବ୍ଯାପକ କ୍ଷୟକ୍ଷତି ହେବବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ରାଜ୍ୟ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଗଛକଟା ଉପରେ ରୋକ ଲଗାଇବା ସଙ୍ଗେସଙ୍ଗେ ଆଇଓସିଏଲ ଏବଂ ଏହାର ଉପକୂଳ ବାସୀଙ୍କୁ ବାତ୍ଯା ପ୍ରକୋପରୁ ସୁରକ୍ଷା ଦେବାପାଇଁ ସାଧାରଣରେ ଦାବି ହୋଇଛି । ଦିଲ୍ଳୀର ଏକ ଘରୋଇ କମ୍ପାନୀ ଚମକ ଇନଭେଷ୍ଟମେଣ୍ଟ କମ୍ପାନୀ ଲିମିଟେଡ ରାଜ୍ୟ ସରକାର ଙ୍କ ସଙ୍ଗେ ୨୦୦୬ ମସିହାରେ ଚୁକ୍ତିନାମା କରିଥିଲା । ତଦନୁଯାୟୀ ଆଇଓସିଏଲ ସଂଲଗ୍ନ ଅଭୟଚାନ୍ଦପୁର ମୌଜାରେ ପ୍ରାୟ ୧୩ ଏକର ଜମି କ୍ରୟ କରିଥିଲା । ସରକାରଙ୍କ ସହିତ ଚୁକ୍ତିକୁ ଆଧାର କରି କମ୍ପାନୀ ଅଧିକାରୀ ମାନେ ସ୍ଥାନୀୟ ଆଦିବାସୀ ମାନଙ୍କୁ ତାରକା ହୋଟେଲ ସ୍ଥାପନ ହେଲେ ଅଞ୍ଚଳର କି ଉନ୍ନତି ହେବ ସେ ବିଷୟରେ ଏକ ରଙ୍ଗୀନ ଚିତ୍ର ଦେଖାଇଥିଲେ । ସ୍ଥାନୀୟ ଅଞ୍ଚଳ ଉନ୍ନୟନ ଏବଂ ଭବିଷ୍ୟତରେ ପରବର୍ତ୍ତୀ ପିଢି ପାଇଁ ରୋଜଗାର ସୃଷ୍ଟି ହେବା ଆଶାରେ ପ୍ରାୟ ୩୦ ରୁ ଉର୍ଦ୍ଧ ଜମି ମାଲିକ ସେମାନଙ୍କର ଉର୍ବର ଫସଲ ଜମିକୁ ଶାଗମାଛ ଦରରେ କମ୍ପାନୀକୁ ବିକ୍ରି କରିଥିଲେ । ୨୦୦୬ ମସିହା ପରେ ତାରକା ହୋଟେଲ ନିର୍ମାଣରେ ପାଦଟିଏ ଆଗେଇ ନଥିଲେ କମ୍ପାନୀ କର୍ତ୍ତୃପକ୍ଷ । ଇତି ମଧ୍ୟରେ ଏହି ଘରୋଇ ଜମି ଉପରେ ଆଇଓସିଏଲ ମହିଳା ସ୍ବେଚ୍ଛାସେବୀ ମାନେ ପ୍ରାୟ ୧୫ ହଜାର ରୁ ଉର୍ଦ୍ଧ ପଟାସ ଓ ଝାଉଁ ଗଛଗୁଡିକ ଲଗେଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିଛନ୍ତି । ଯଦି ଏହି ଜଙ୍ଗଲକୁ କାଟି ଦିଆଯାଏ ତେବେ ସାମୁଦ୍ରିକ ବାତ୍ଯାର ପ୍ରକୋପରେ ଏହି ଅଞ୍ଚଳର ବ୍ଯାପକ କ୍ଷୟକ୍ଷତି ହେବ। ହୋଟେଲ ନିର୍ମାତା କମ୍ପାନୀ ଅନୌପଚାରିକ ଭାବେ ସରକାରୀ ରାଜିନାମାରୁ ଓହରି ଯାଇଛି ବୋଲି ଆଶଙ୍କା ପ୍ରକାଶ ପାଇଛି । ସରକାରୀ ଚୁକ୍ତି ବଳରେ ସାଧାରଣ ଲୋକଙ୍କ ଠାରୁ ଜମି କ୍ରୟ କରି କାହିଁକି ହୋଟେଲ ନିର୍ମାଣ କରିନାହାଁନ୍ତି ସେ ବିଷୟରେ ହୋଟେଲ କର୍ତ୍ତୃପକ୍ଷ ଚୁପ୍ ରହିଛନ୍ତି । ଏବେ ଅତ୍ୟନ୍ତ ଗୋପନୀୟ ଭାବେ କୃତ୍ରିମ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛଗୁଡିକୁ କାଟି ପୁନଃ ବିକ୍ରୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଅଞ୍ଚଳଟି ଏବେ ସିଆରଜେଡ୍ ପରିସର ମଧ୍ୟରେ ଆସୁଥିବା ରୁ ଏଠାରେ ଆଉ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି । ଆଇଓସିଏଲ ଏବଂ ଏହାର ଉପକୂଳବାସୀଙ୍କୁ ବାତ୍ଯା ଏବଂ ସାମୁଦ୍ରିକ ଜୁଆରରୁ ସୁରକ୍ଷା ପାଇଁ ଜନ ଅଧିକାର ପାର୍ଟି ଗଛ ନ କାଟିବା ପାଇଁ ସରକାର ଙ୍କ ନିକଟରେ ଦାବି କରିଛି । ଯଦି ଜିଲ୍ଲା ପ୍ରଶାସନ ନୀରବ ରୁହନ୍ତି ତେବେ ଆଗାମୀ ଦିନରେ ପାର୍ଟି ଜାତୀୟ ଗ୍ରୀନ ଟ୍ରିବୁନାଲରେ ଏହି ପ୍ରସଙ୍ଗ ଉଠାଇବ ବୋଲି ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *