ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ତାଳଚେର ଆଇଟିଆଇ ଛକ ସ୍ଥିତ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ହୃଦରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ଓ ତାଳଚେର ରୋଟାରୀ କ୍ଲବର ମିଳିତ ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା । ତାଳଚେର ଉପଜିଲ୍ଲାପାଳ ବିଶ୍ବମୋହନ ରଥ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ସ୍ଥାନୀୟ ଅଞ୍ଚଳର ୧୩୫ ଜଣ ନାମ ପଞ୍ଜିକରଣ କରି ହାର୍ଟ ସ୍କ୍ରିନ କରିବାରେ ସକ୍ଷମ ହୋଇଥିଲେ । ରକ୍ତଚାପ, ମଧୁମେହ ଓ ଇସିଜି ଆଦି ପରୀକ୍ଷା ମୁକ୍ତ ଦେୟ ଭାବରେ କରାଯାଇଥିଲା । ଆପୋଲୋର ଅଭିଜ୍ଞ ଚିକିତ୍ସକ ମାନେ ରୋଗୀ ମାନଙ୍କୁ ସେମାନଙ୍କର ସର୍ବୋତ୍ତମ ସେବା ଓ ପରାମର୍ଶ ପ୍ରଦାନ କରିଥିଲେ । ହୃଦୟର ନିରାପତ୍ତା ଏବଂ ହୃଦଘାତରେ ସାବଧାନତା ସମ୍ବନ୍ଧରେ ସ୍ବତନ୍ତ୍ର ପରାମର୍ଶ ସମସ୍ତ ରୋଗୀଙ୍କୁ ଦିଆଯାଇଥିଲା । ରୋଟାରୀ କ୍ଲବ ସଭାପତି କିଶୋର ସାହୁ ଓ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସଦସ୍ୟ ସଦସ୍ୟାମାନେ ପଞ୍ଜିକରଣ ଓ ରୋଗୀ ସହାୟତା ଆଦି କରିଥିଲେ । ସକାଳ ୮ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କ୍ୟାମ୍ପ ଚାଲିଥିଲା । ଯେଉଁ ହୃଦ୍ ପରୀକ୍ଷା ପାଇଁ ଲୋକମାନଙ୍କୁ ବଡ଼ ବଡ଼ ମେଡ଼ିକାଲକୁ ଯାଇ ଖର୍ଚ୍ଚାନ୍ତ ହୋଇ ପରୀକ୍ଷା କରିବାକୁ ପଡ଼ୁଥିଲା ସେହି ସୁବିଧା ତାଳଚେର ଅଞ୍ଚଳରେ ରୋଟାରୀ କ୍ଲବ ଜରିଆରେ ମାଗଣା ମିଳିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଥ ଯୋଗଦେଇ ଲୋକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ରୋଟାରୀର ଏତାଦୃଶ ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ । ଏହି ଶିବିରରେ ଅନୁଗୋଳ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ରୋଟାରୀ କ୍ଲବର ସଦସ୍ୟ ବାପି ମହାନ୍ତି ଯୋଗଦେଇ ସମସ୍ତ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥିଲେ ।

