ପର୍ବ ଗୃହରୁ ୬ ଭଉଣୀଙ୍କୁ ମେଲାଣୀ ଦେଲେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଦୁର୍ଗା ଉତ୍ସବ ନିମନ୍ତେ ୬ ଭଉଣୀଙ୍କୁ ନିମନ୍ତ୍ରଣ କରିଥିଲେ। ଦୀର୍ଘ ୧୭ ଦିନ ର ପାର୍ବଣ ପୂଜାପରେ ମଙ୍ଗଳବାର ନିଶାର୍ଦ୍ଧରେ ଭଉଣୀମାନଙ୍କୁ ସ୍ଵମନ୍ଦିରକୁ ମେଲାଣୀ ଦେଇଛନ୍ତି ମା’ ଭଗବତୀ l ଶାରଦୀୟ ପୂଜା ନିମନ୍ତେ ବର୍ଷର ବିଭିନ୍ନ ଋତୁରେ ଚାରିଦିଗକୁ ଯାତ୍ରା କରି ଭଉଣୀମାନଙ୍କୁ ପାର୍ବଣ ଉତ୍ସବ ପାଇଁ ଆମନ୍ତ୍ରଣ କରିଥାନ୍ତି ମା’ ଭଗବତୀ ।ସେହି ଅନୁସାରେ ଚୈତ୍ର ଶୁକ୍ଳ ଅଶୋକାଷ୍ଟମୀ ଦିନ ଦକ୍ଷିଣ ଦିଗ ରକ୍ଷା କାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା ମା’ନାରାୟଣୀଙ୍କୁ ଆମନ୍ତ୍ରଣ ପାଇଁ ଗତିଶ୍ଵର ମହାଦେବଙ୍କ ପୀଠକୁ ଯାତ୍ରା କରି ଅଶୋକ ଫୁଲ, ପଇଡ଼ ସହ କାକରା ପିଠା ନୈବେଦ୍ୟ ଗ୍ରହଣ କରି ନାରାୟଣୀଙ୍କ ଆଜ୍ଞାମାଳ ସହ ନିଶାର୍ଦ୍ଧରେ ମନ୍ଦିରକୁ ଫେରିଥାନ୍ତି ମା’ । ସେହି ଦିନଠାରୁ ଆରମ୍ଭ ହୁଏ ମା’ ଭଗବତୀଙ୍କର ଶକ୍ତିପୀଠରେ ଶାରଦୀୟ ପାର୍ବଣ ପ୍ରସ୍ତୁତି ।
ଓଡ଼ିଆ ନବବର୍ଷ ମହାବିଷ୍ଣୁବ ସଂକ୍ରାନ୍ତି ରେ ମା’ ଭଗବତୀ ଉତ୍ତରଦିଗ ବାସିନୀ ସୋଲରୀ ପାହାଡ଼ ପାଦ ଦେଶରେ ବିରାଜିତା ଭଉଣୀ ମା’, ଶିଦ୍ଧାମ୍ବରୀଙ୍କ ମନ୍ଦିରରେ ନିଶାର୍ଦ୍ଧରେ ପହଞ୍ଚି ସେଠାରେ ମା’ଙ୍କୁ ଚୁଡ଼ା ଗୁଡ଼ ଭୋଗ ଲାଗି ହେବାପରେ ମା’ ସେଠାରୁ ଆଜ୍ଞାମାଳ ନେଇ ଫେରିଥାନ୍ତି । ବାଟରେ ଭାଟପଡ଼ାର ଦଳବେହେରାଙ୍କ ଦୁଆରେ ମା’ଙ୍କୁ ପନ୍ତି ଭୋଗ ଲାଗି ହେବାପରେ ମନ୍ଦିରକୁ ଫେରନ୍ତି ମା’ ଭଗବତୀ । ସେହିପରି ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀରେ ପୂର୍ବଦିଗ ରକ୍ଷା କାରିଣୀ ଚିଲିକା ମଧ୍ୟରେ ବିରାଜିତା ଭଉଣୀ କାଳିଜାଇଙ୍କ ନିକଟକୁ ନୌବିହାର କରି ପାର୍ବଣ ପୂଜାପାଇଁ ଆଜ୍ଞାମାଳ ନେଇ ଫେରିଥାନ୍ତି । ବାଟରେ ସାମନ୍ତରାଙ୍କ ଦୁଆରେ ଖିରି, କାକରା ଓ ଅନ୍ତରକିଆରୀ ଗ୍ରାମରେ ପନ୍ତି ଭୋଗ ଲାଗି ହେବା ପରେ ମନ୍ଦିରକୁ ମା’ ଫେରି ଶୟନ ଯାଇଥାନ୍ତି । ଶେଷରେ ମା’ ଆଶ୍ଵିନ ମହାଳୟା ଅମାବାସ୍ୟା ନିଶାର୍ଦ୍ଧରେ ପଶ୍ଚିମ ଦିଗ ରକ୍ଷା କାରିଣୀ ବଡ଼ ଭଉଣୀ ମା’ ବିରି ଜାଇଙ୍କ ସାଥିରେ ଭେଟ ହେବାପରେ ସେଠାରେ ଖେଚଡ଼ି ଓ ଖଇଙ୍ଗା ଶୁଖୁଆ ମହୁର ଲାଗି ହେବା ପରେ ମା’ ଭଉଣୀଙ୍କୁ ସାଥିରେ ଧରି ପର୍ବ ଗୃହକୁ ଯାତ୍ରା କରିବା ବାଟରେ ବଙ୍କାଡ଼ଗଡ଼ ରାଜାଙ୍କ ଗଡ଼ଦେବୀ କନକ ଦୁର୍ଗା ଓ ବୁଢୀ ଠାକୁରାଣୀଙ୍କ ସହିତ ଭେଟ ହୋଇ ସାତବଖରା ପର୍ବ ଗୃହକୁ ଶାରଦୀୟ ପାର୍ବଣ ନିମନ୍ତେ ପ୍ରବେଶ କରିଥାନ୍ତି ।
ଅମାବାସ୍ୟାଠାରୁ ଦଶହରା ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପୂଜା ପାଇ ଶ୍ରଦ୍ଧାଳୁମାନଙ୍କୁ ମା’ଦର୍ଶନ ଦେଇଥାନ୍ତି ସପ୍ତମାତୃକାଙ୍କ ପୂଜାସ୍ଥଳୀ ଶକ୍ତିପୀଠ ବାଣପୁରେ । ଏହି ପାର୍ବଣ ସମୟରେ ଦୀର୍ଘ ଅଠର ଦିନ ଧରି ଚଳଚଞ୍ଚଳ ଉତ୍ସବମୁଖର ହୋଇ ଉଠେ ମା’ଙ୍କ ପୀଠ ସ୍ଥଳୀ । ଦେବୀ ମା’ ଭଗବତୀଙ୍କ ପୀଠର ଏହି ନିଆରା ଶାରଦୀୟ ପର୍ବ ପରମ୍ପରାକୁ ଉପଭୋଗ କରିବାପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଆସନ୍ତି ଶହଶହ ଶ୍ରଦ୍ଧାଳୁ । ମା’ଙ୍କ ପ୍ରସାଦଖେଚଡ଼ି ,ଡାଲି, ମାଛ, ମହୁର ଖିରି,କାକରା, ଏଣ୍ଡୁରି, କାନ୍ତି, ଖଜା, ମଠ ପୁଳି, ସରପୁଳି, ଶାଳିଆପତର ଗଜାମୁଆଁ ପାଇବା ପାଇଁ ବେଶ ଭିଡ଼ ଜନ୍ମିଥାଏ । ଶେଷଦିନ ଦଶମୀ ତିଥି ନିଶାର୍ଦ୍ଧରେ ମା’ ଭଉଣୀମାନଙ୍କୁ ମେଲାଣୀଦେଇଥାନ୍ତି ।
ନିଯୋଗୀ ସେବାୟତମାନେ ମା’ଙ୍କ ସହିତ କନକ ଦୁର୍ଗା ଓ ବିରିଜାଇଙ୍କୁ ସାଥିରେ ନେଇ ସ୍ଵମନ୍ଦିରକୁ ଯିବା ବାଟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଶ୍ରୀରଙ୍କ ନାଥ ଦେବ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇ ମାତୃ ଶକ୍ତିଙ୍କୁ ସମ୍ମାନ ଜଣାଇ ମା’ଙ୍କ ମନ୍ଦିର ସିଂହ ଦ୍ଵାର ପାଖକୁ ବିଜେ କରିଥାନ୍ତି। ସେଠାରେ ପରବ ପୂଜକ ଶାକ୍ତ ପଣ୍ଡିତ ବାମନ ଚରଣ ଦାଶ ଓ ସମସ୍ତ ସେବାୟତ ଘଣ୍ଟଘଣ୍ଟା କାହାଳୀ ଢ଼େ।ଲ ବାଦ୍ୟ, ଆଲଟ ଚାମରରେ ମା’ଙ୍କୁ ସ୍ଵାଗତ କରି ପଞ୍ଚ ପୋଚାରରେ ପୂଜନ ପରେ ଆରତିବନ୍ଦାପନା କରି ହୋମାଗ୍ନି ସ୍ପର୍ଶ ପରେ ମା’ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମନ୍ଦିରରେ ବଡ଼ସିଂହାର ଧୂପସାରି ଭଉଣୀ ମା’ବିରିଜାଇ, ଓ କନକଦୁର୍ଗାଙ୍କୁ ମନ୍ଦିରରେ ଛାଡ଼ି ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରକୁ ବିଜେ କରିବା ବାଟରେ ଶ୍ରୀରଘୁନାଥ ଦେବଙ୍କ ମନ୍ଦିରରେ ପ୍ରସ୍ତୁତ ଅଧରମୁଆଁ ଭୋଗ ଲାଗି ହେବାପରେ ସେହି ନିଶାର୍ଦ୍ଧରେ ସ୍ଵସ୍ଥାନକୁ ବିଜେ କରିଥିଲେ । କନକ ଦୁର୍ଗା ମା’ ଭଗବତୀଙ୍କ ମନ୍ଦିରରେ କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହି ଦିନ ଶାରଦୀୟ ପର୍ବରେ ନରବଳି ପ୍ରତୀକ ତଥା ମା’ଙ୍କ ପରମ ସେବକ ବଳିଜେନାଙ୍କ ସହିତ ମା’କନକଦୁର୍ଗାଙ୍କର କଉଡି ଖେଳ ହେବ। ଖେଳରେ ହାରି ବଳିଜେନା ପୁଣି ଆଗାମୀ ବର୍ଷ ଶାରଦୀୟ ପର୍ବରେ ସେବା କରିବାକୁ ସଂକଳ୍ପ କରି ନିଶାର୍ଦ୍ଧରେ ଅଣବାଟରେ ନିଜ ଘରକୁ ଫେରିବେ।

Leave a Reply

Your email address will not be published. Required fields are marked *