ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତବର୍ଷ ମହାକାର୍ତ୍ତିକ ଦୀପାବଳି ଅମାବାସ୍ୟା ତିଥିରେ କେତୁ ଗ୍ରସ୍ତ ସୂର୍ଯ୍ୟ ପରାଗ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ସୂର୍ଯ୍ୟାସ୍ତ ପୂର୍ବରୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ସହିତ ଦେବା ଦେବୀ ପୀଠମାନଙ୍କରେ ସ୍ଵତନ୍ତ୍ର ନୀତିକାନ୍ତି ପାଳିତ ହେବ । ଏହି ଦିନ ମା’ ଭଗବତୀଙ୍କ ପୀଠରେ ମଧ୍ୟ ସ୍ଵତନ୍ତ୍ର ଭାବରେ ପରାଗ ନୀତିକାନ୍ତି ପାଳନ କରାଯିବାକୁ ମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅନୁସାରେ ମନ୍ଦିର ପାଞ୍ଜିଗଣକ, ପୁରୋହିତ, ପର୍ବପୂଜକ , ପରିଛା ସାମନ୍ତ ଏବଂ ପ୍ରଶାସନଙ୍କ ମିଳିତ ନିଷ୍ପତ୍ତି କ୍ରମେ ମଙ୍ଗଳବାରେ ଅମାବାସ୍ୟା ତିଥିରେ ଅପରାହ୍ନ ୪ ଟା ୫୬ମିନିଟ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରୁଥିବାରୁ ଏବଂ ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବ ମୋକ୍ଷ ହେଉଥିବାରୁ ସୂର୍ଯ୍ୟ ଦୃଶ୍ୟମାନ ହେଉ ନଥିବା ଯୋଗୁଁ ମନ୍ଦିରର ମଙ୍ଗଳବାର ର ସମସ୍ତ ନୀତିକାନ୍ତି ଦିଅଁବିଜେ,ସୋମବାର ରାତ୍ର ୧୨ଘଟିକାରୁ ଆରମ୍ଭ ହୋଇ ଭୋର୍ ୪ଟା ୫୭ମିନଟ୍ ମଧ୍ୟରେ ଶେଷ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । କାରଣ ମଙ୍ଗଳବାର ଭୋର୍ ୪ଟା୫ ୭ ମିନିଟରୁ ପାକତ୍ୟାଗ ଦେବନୀତି ନିଷେଧ ଥିବାରୁ ଏହି ସମୟରୁ ମା’ ଙ୍କର ସମସ୍ତ ନୀତିକାନ୍ତି ମଙ୍ଗଳବାର ଦିନ ସାରା ବନ୍ଦ ରହିବ । ମା’ କେବଳ ସର୍ବ ସାଧାରଣଙ୍କୁ ଦୂରରେ ଦର୍ଶନ ଦେବେ। ଏହି ସମୟରେ ସର୍ବସାଧାରଣଙ୍କ ଭୋଗ ଲାଗି ହେବ ନାହିଁ, ଶ୍ରଦ୍ଧାଳୁମାନେ ଗର୍ଭ ଗୃହ, ଚନ୍ଦନ ଅର୍ଗଳୀ ପାଖକୁ ଯାଇ ପାରିବେ ନାହିଁ । କେବଳ ମଣ୍ଡପରେ ଥାଇ ଦର୍ଶନ କରିବେ । ସୋମବାର ସଂଧ୍ୟା ସମୟରେ ଦୀପଦାନ ଦୀପାବଳିର ସମସ୍ତ ନୀତିକାନ୍ତି ପରେ ବଡ଼ସିଂହାର ହୋଇ ରାତ୍ର ପହୁଡ଼ ହେବ । ପୁଣି ରାତ୍ର ୧୨ ଘଟିକା ଠାରୁ ଦ୍ଵାର ଫିଟା, ଅବକାଶ, ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତି ବଢିବା ପରେ ଖେଚଡ଼ି ଡ଼ାଲି ଧୂପ ବଢି ଶଙ୍କୁଡି ଭୋଗ ପରେ ଦିବା ପହୁଡ଼ ପରେ ମଙ୍ଗଳବାର ନୀତିକାନ୍ତିରେ ମା’କାଠି ଠାକୁରାଣୀ ଦକ୍ଷେଶ୍ଵର ମନ୍ଦିରରୁ ନିଶାର୍ଦ୍ଧରେ ବିଜେ କରିବା ପରେ ଆଳତି ଖେଇ ଧୂପ ହୋଇ ମଙ୍ଗଳବାରର ବଡ଼ସିଂହାର ସାରି ପିତ୍ରାଳୟକୁ ଫେରିବା ପରେ ରାତ୍ର ପହୁଡ ହୋଇ ପୁଣି ମାଜଣା ବଲ୍ଲଭ ଆଳତି ହୋଇ ଭୋର୍ ୪ଟା ୫୭ ପୂର୍ବରୁ ଦେବୀନୀତି ଶେଷହେବ, ମଙ୍ଗଳବାର ପରାଗ ସ୍ପର୍ଶ ସମୟରେ ପରାଗ ଧୂପ ହୋଇ ପୋତା ଯିବ। ବୁଧବାର ଭୋର୍ ୫ ଟା ୫୬ମିନିଟସୂର୍ଯ୍ୟ ଉଦୟରୁ ପୁଣି ଯଥାରୀତି ନୀତିକାନ୍ତି ବଢିବ ବୋଲି କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ ।
ମା ‘ ଭଗବତୀଙ୍କ ପୀଠରେ ସୂର୍ଯ୍ୟପରାଗ ନୀତିକାନ୍ତି !!!

