ବୋଲଗଡ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଣ୍ତଳ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଦୁଇ ଦିନ ଧରି ପାଳିତ ହୋଇଯାଇଛି । ପ୍ରଥମ ଦିନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ବୋଲଗଡ ବାମନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ଡିସେମ୍ବର ତିନି ତାରିଖକୁ ସମଗ୍ର ବିଶ୍ବରେ ଦିବ୍ୟାଙ୍ଗ ଦିବସ ରୂପେ ପାଳନ କରାଯାଉଛି । ଉକ୍ତ ଦିବସର ମହତ୍ତ୍ବକୁ ଉପଲବ୍ଧ କରି ଦିବ୍ୟାଙ୍ଗ ଦିବସରେ ବୋଲଗଡ ସହରରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ଲାକାର୍ଡ ଧରି ସଚେତନତା ର ସ୍ଲୋଗାନ ଦେଇ ପିଲାମାନେ ଗ୍ରାମ୍ୟ ପରିକ୍ରମା କରିଥିଲେ । ବିଆରସିସି ପଦ୍ମଚରଣ ବେହେରା, ସମ୍ବଳ ଶିକ୍ଷୟିତ୍ରୀ ମୀନାକ୍ଷୀ ବଳିଆର ସିଂହ, ଶ୍ରୀମତୀ ନିରୁପମା ତ୍ରିପାଠୀ , ସ୍ବେଚ୍ଛାସେବୀ ପ୍ରତାପ କୁମାର ସାହୁ ସହଯୋଗ କରିଥିଲେ ! ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ରେଡକ୍ରସ ସ୍କାଉଟ୍ ଭବନ ଏବଂ ବ୍ୟାୟାମ ଓ କ୍ରିଡା ଉପକରଣ, ତାଲିମ୍ କେନ୍ଦ୍ରର ନୂତନ ଘର ଲୋକାର୍ପିତ କରାଯାଇଥିଲା । ଦ୍ବିତୀୟ ଅଧିବେଶନର ପୁରସ୍କାର ସଭାରେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସୁସାହିତ୍ୟିକ ଡକ୍ତର ନିରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ, ମୁଖ୍ୟ ବକ୍ତା ରୂପେ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ନିରୁପମା ପ୍ରଧାନ , ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା ପ୍ରମୂଖ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ନିଜ କର୍ମ କୁଶଳତାରେ ସକ୍ଷମ ହେବାପାଇଁ ଉତ୍ସାହପ୍ରଦ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥି ମାନଙ୍କୁ ପ୍ରମାଣପତ୍ର ଓ ସିଲ୍ କପ ଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ମନମୋହନ କହଲସିଂହ, ସୁକାନ୍ତ ଜେନା, ରତ୍ନପ୍ରଭା ସାହୁ ଓ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ମାନେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଭିକାରି ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

