ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସିଟି ବିଇଡି ତାଲିମ ପ୍ରାପ୍ତ ସହ ୧୫ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ, ମାତ୍ର ୭୦୦୦ ଟଙ୍କା ଦରମା ପାଉଥିବା ଲେଫ୍ଟ ଆଉଟ ଗଣଶିକ୍ଷକ ମାନଙ୍କୁ ତା ୦୧/୦୩/୨୦୧୭ ରିଖ ଅନୁଯାୟୀ ନିୟମିତ କରିବା ପାଇଁ ଦାବିପତ୍ର ପ୍ରଦାନ । ରାଜ୍ୟର ୨୨୫୧୨ ଗଣ ଶିକ୍ଷକ ମାନଙ୍କ ନିୟମିତ ପ୍ରକ୍ରିୟାରୁ ବାଦ ପଡିଥିବା ୪୦୦୦ ଲେଫ୍ଟ ଆଉଟ ଗଣଶିକ୍ଷକ ମହାସଂଘ , ବିଭାଗୀୟ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଛି ! ୧୮୫୬୪ ରୁ ଉର୍ଦ୍ଧ ଗଣଶିକ୍ଷକ ମାନଙ୍କୁ ବିନା ଓଟିଇଟି ଯୋଗ୍ଯତାରେ ନିୟମିତ କରାଯାଇଛି । ପତ୍ର ସଂଖ୍ୟା ୭୦୧୨, ତା ୩୧/୦୩/୨୦୧୮ ରେ ସରକାର ପୁଣି ୪୦୦୦ ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ ଓଟିଇଟି ଯୋଗ୍ୟତା ବିପକ୍ଷରେ ଓଡିଶା ବିକାଶ ପରିଷଦଙ୍କ ଦ୍ବାରା ମାନ୍ୟବର କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ଏଥିପାଇଁ ନିୟମିତ ପ୍ରକ୍ରିୟାରୁ ୪୦୦୦ ଗଣଶିକ୍ଷକ ଙ୍କୁ ସରକାର ବଞ୍ଚିତ କଲେ । କିନ୍ତୁ ଏହା ବଳରେ ୩ ଗୋଟି ଜିଲ୍ଲାର ଗଣଶିକ୍ଷକ ମାନଙ୍କୁ ନିୟମିତ କରାଗଲା । ଏଥିସହ ମାମଲାଟି ୧୩/୦୭/୨୦୨୧ ରିଖରେ ଓଡିଶା ବିକାଶ ପରିଷଦଙ୍କ ଦ୍ବାରା ପ୍ରତ୍ୟାହାର କରାଗଲା । ତଥାପି ଏଯାବତ ସରକାର ଅବଶିଷ୍ଟ ଗଣଶିକ୍ଷକଙ୍କୁ ନିୟମିତ କରୁନାହାଁନ୍ତି । ସିଟି ବିଇଡି ସହ ସମସ୍ତ ତାଲିମ ସମାପ୍ତ କରିଥିବା ଗଣଶିକ୍ଷକ ମାନେ ୧୫ ବର୍ଷରୁ ଅଧିକ ସମୟ ୨୦୦୦ ଟଙ୍କାରୁ ୭୦୦୦ ଟଙ୍କା ଦରମାରେ ନିୟମିତ ଭାବେ କାର୍ଯ୍ୟ କରି ଆସୁଛନ୍ତି ! ଏ ପରିପ୍ରେକ୍ଷୀରେ ୪୦୦୦ ଗଣଶିକ୍ଷକ ବହୁ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି । ଯାଦ୍ୱାରା ଆର୍ଥିକ ଓ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇ ପଡିଲେଣି । ଜଣେ ଶିକ୍ଷକ ଭାବରେ ଦିନ ମଜୁରୀଆ ଠାରୁ କମ୍ ଦରମାରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି । ଦୀର୍ଘ ଦିନ ହେବ ସରକାରଙ୍କୁ ଦାବୀପତ୍ର ଦେଇ ଆସୁଥିଲେ ସୁଦ୍ଧା ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନାହାଁନ୍ତି । ଏଣୁ ସରକାର ତୁରନ୍ତ , ବିନା ଓଟିଇଟି ଯୋଗ୍ଯତାରେ ଯେଉଁଭଳି ୧୮୫୬୪ ରୁ ଉର୍ଦ୍ଧ ଗଣଶିକ୍ଷକ ମାନଙ୍କୁ ନିୟମିତ କରିଛନ୍ତି , ସେହି ଆଧାରରେ ସମସ୍ତ ଲେଫ୍ଟ ଆଉଟ ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ମହାସଂଘ ଦାବୀ ଉପସ୍ଥାପନ କରିଛି ।

