ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ଏହା ରାଜ୍ୟରେ ରୋଗୀ ମାନଙ୍କ ଉପରେ କେତେ ଦୂର ଫଳପ୍ରଦ ହେଉଛି, ତାହା ଆଲୋଚନାର ବିଷୟ ବସ୍ତୁ ପାଲଟିଛି ! ନୟାଗଡ଼ ଜିଲ୍ଲାରେ ଏହା କେତେ ଦୂର କାର୍ଯ୍ୟକାରୀ ହୋଇଛି ଯାଞ୍ଚ୍ କରିବା ପାଇଁ ଆଜି ଘରୋଇ ଚିକିତ୍ସାଳୟ ଉପରେ ଚଢ଼ାଉ କରିଛନ୍ତି ଜିଲ୍ଲାପାଳ । ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଗରିବ ଅସହାୟ ଓ ମଧ୍ୟବିତ ପରିବାର କିପରି ବିନା ଟଙ୍କାରେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ଏହି ଯୋଜନା ଲାଗୁ କରାଯାଇଛି । ନୟାଗଡ଼ ଜିଲ୍ଲାରେ ୧୪ ଗୋଟି ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଏହି କାର୍ଡ ଲାଗୁ ହେବା ଠାରୁ ଜିଲ୍ଲାର ୪,୨୯୭ ଜଣ ରୋଗୀ ମାଗଣାରେ ଚିକିତ୍ସିତ ହୋଇ ପାରିଛନ୍ତି । ଅନେକ ସମୟରେ ବିଭିନ୍ନ କ୍ଲିନିକ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ରୋଗୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇ ଆସୁଛି । ଏଥି ନିମନ୍ତେ ରାଜ୍ୟ ସରକାର ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନିୟମିତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାତ୍ର ୮ ଘଟିକା ସମୟରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଅଚାନକ ଚଢ଼ଉ କରିଥିଲେ । ନୟାଗଡ଼ର ନବଜୀବନ ସେବା ସଦନ ଓ ସନରାଇଜ ହସ୍ପିଟାଲ ଉପରେ ଚଢ଼ଉ କରାଯାଇଥିଲା । ଜିଲ୍ଲାପାଳ ସିଧା ସଳଖ ରୋଗୀ ମାନଙ୍କ ସହ ଆଲୋଚନା କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କିପରି ଉପକୃତ ହେଉଛନ୍ତି ପଚାରି ବୁଝିଥିଲେ । ରୋଗୀ ଓ ତାଙ୍କ ସମ୍ପର୍କିୟ ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ସୁବିଧା ପାଉଥିବା ପ୍ରକାଶ କରିଥିଲେ । କିନ୍ତୁ ବାହାରକୁ ବିଭିନ୍ନ ରୋଗର ପରୀକ୍ଷା କରିବା ପାଇଁ ପଠାଉ ଥିବା ପ୍ରକାଶ କରିଥିଲେ । ଯଦି କୌଣସି ଅପରେସନରେ ୭୦,୦୦୦ ଟଙ୍କା ନଗଦ ନେଇ ଅପରେସନ କରାଯାଇ ପାରୁଛି ସେହି ଅପରେସନରେ ବିଜୁ ସ୍ବାସ୍ଥ୍ୟ କାର୍ଡରୁ କେତେ ଟଙ୍କା କଟା ଯାଉଛି ତାହା ରୋଗୀଙ୍କୁ ସ୍ପଷ୍ଟ କରା ଯାଉନାହିଁ । ଏହାକୁ ଜିଲ୍ଲାପାଳଙ୍କ ସମୁଖରେ ପ୍ରକାଶ କରିବା ପାଇଁ ରୋଗୀଙ୍କ ପରିବାର ସଂକୋଚ କରୁଥିବା ବେଳେ ଜିଲ୍ଲାପାଳ ଯିବା ପରେ ରୋଗୀ ଓ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ ସାମିଲ ହୋଇଥିଲେ ।
ନୟାଗଡ ଜିଲ୍ଲାପାଳ ଙ୍କ ଦ୍ୱାରା ଘରୋଇ ଚିକିତ୍ସାଳୟ ଉପରେ ଚଢ଼ାଉ !!!

