କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି । ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । କାମ ବେଳେ ପ୍ରବଳ ଧୂଳି ଉଡୁଥିବାରୁ ପ୍ରଦୂଷଣ ବୃଦ୍ଧି ପାଇଛି । ରାସ୍ତା ପାର୍ଶ୍ୱ ଗାଁ ଗୁଡିକରେ ଲୋକଙ୍କ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ନଷ୍ଟ ହେଉଥିବା ବେଳେ ରାସ୍ତା କଡ଼ ଜଳଖିଆ ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଶେଷ କରିବା ସହ ସଂପ୍ରସାରଣ ସ୍ଥାନରେ ପାଣି ସିଞ୍ଚନ କରାଯାଉ ବୋଲି ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି । ରାସ୍ତା କାମ ବିଳମ୍ବକୁ ନେଇ ସିମନବାଡ଼ି ସମେତ ଗଦଡ଼ି, ବାଡାବାଙ୍ଗା, ସିକକେତା ଆଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି l ସିମନବାଡ଼ି ଠାରୁ ରାଇକିଆ ୨୫ କି.ମି. ଦୂର । ସେହି ମଧ୍ୟରେ ୧୫ କି.ମି. ରାସ୍ତା ସଂପ୍ରସାରଣ ପାଇଁ ପ୍ରାୟ ୨୩ କୋଟି ଟଙ୍କା ଅନୁଦାନ ରହିଛି । ଗତ ଜୁନ ମାସରୁ ଏହି କାର୍ଯ୍ୟର ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ଡେଡ୍ଲାଇନ ରହିଛି । ତେବେ କାର୍ଯ୍ୟ ଆରମ୍ଭ ହେବାର ୮ ମାସ ବିତିଛି । ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ କାର୍ଯ୍ୟ ସରିଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । କାର୍ଯ୍ୟରେ ଠିକାସଂସ୍ଥାର ଅହେତୁକ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ମଣ୍ଡଳ କହିଛନ୍ତି । ସମୟ ମଧ୍ୟରେ କାର୍ଯ୍ୟ ଶେଷ ନକଲେ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏଥି ସହ ଯେଉଁଠି କାମ ବେଳେ ପାଣି ପକାଯାଉ ନାହିଁ ସେଠାରେ ପାଣି ପକାଇବାକୁ ନିର୍ଦେଶ ଦିଆଯିବ ବୋଲି ସେ କହିଛନ୍ତି । ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଠିକାସଂସ୍ଥାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସିମନବାଡ଼ି – ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ : ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ !!!

