ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ପାଞ୍ଚଲକ୍ଷ ଲୁଟ୍ ଘଟଣା ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୁଟ ର ଶୀକାର ହୋଇଛନ୍ତି ବର୍ତ୍ତଣ୍ଡା ସ୍ଥିତ ଲକ୍ଷ୍ମୀନାରାୟଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ମଙ୍ଗଳବାର ଦିନ ଏଗାରଟା ସମୟରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ଲକ୍ଷ୍ମୀନାରାୟଣ ସ୍ଵୟଂ ସହାୟକ ଗୋଷ୍ଠୀର ତିଳୋତ୍ତମା ପଲେଇ, ସଂଯୁକ୍ତା ନାୟକ ଓ ଶ୍ରୀକୃଷ୍ଣ ସ୍ଵୟଂ ସହାୟକ ଗୋଷ୍ଠୀର କୁନି ବେହେରା, ସରସ୍ଵତୀ ବେହେରା, ସୁପ୍ରିୟା ସାହୁ ସଂଘର ଋଣ ଅର୍ଥ ନେବା ପାଇଁ ଏକ ଅଲ୍ଟୋ କାରରେ ହାତିବାରୀ ସ୍ଥିତ ଷ୍ଟେଟବ୍ୟାଙ୍କକୁ ଆସିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଲକ୍ଷ୍ମୀନାରାୟଣ ଗୋଷ୍ଠୀର ୫ ଲକ୍ଷ ଓ ଶ୍ରୀକୃଷ୍ଣ ଗୋଷ୍ଠୀର ୨ ଲକ୍ଷ ନଗଦ ଟଙ୍କା ବ୍ୟାଙ୍କରୁ ନେଇ ଫେରୁଥିବା ସମୟରେ ଏକ କଳାରଙ୍ଗର ପଲସର ମଟର ସାଇକେଲ ତାଙ୍କୁ ହରିପୁର କଲେଜ ନିକଟରେ ଓଭରଟେକ୍ କରିଥିଲା । କିଛି ବାଟ ଯିବାପରେ ବହାବଳପୁର ଗ୍ରାମ ପୂର୍ବରୁ ଏକ ନିଛାଟିଆ ସ୍ଥାନରେ ଦୁଇ ଜଣ ଯୁବକ ବାଇକ ଧରି ଛିଡା ହୋଇଥିଲେ । କାରକୁ ଦେଖି ଅଟକାଇବା ସହ ଗାଡ଼ି ଖରାପ ହୋଇଥିବା କହିଥିଲେ ଓ ରେଞ୍ଚି ମାଗିଥିଲେ । ଡ୍ରାଇଭର ସେହି ଗ୍ରାମର ଲିପୁ ନାଟ୍ଟିଆ କାର ଡୋର ଖୋଲିବା ମାତ୍ରେ ଜଣେ ଯୁବକ ଲିପୁ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଦେବାକୁ ଧମକ ଦେଇଥିଲା । ଅନ୍ୟ ଜଣେ ଯୁବକ ଧରିଥିବା ଏକ କଟୁରୀରେ ଗାଡିରେ ଥିବା ସଞ୍ଜୁକ୍ତାଙ୍କୁ ଆକ୍ରମଣ କରିଥିଲା । ଭୟଭୀତ ହୋଇ ସଂଯୁକ୍ତା ଧରିଥିବା ୫ ଲକ୍ଷ ଟଙ୍କା ଲୁଟେରାଙ୍କ ହାତକୁ ବଢାଇ ଦେଇଥିଲେ। ସଙ୍ଗେ ସଙ୍ଗେ ଦୁଇ ଲୁଟେରା ଟଙ୍କା ଧରି ଘଟଣା ସ୍ଥଳରୁ ଭୁବନ ରାସ୍ତାରେ ପାର ହୋଇ ଯାଇଥିଲେ । ସେହି ସମୟରେ ଯାଉଥିବା ବାଟୋଇ ଘଟଣା ଶୁଣି ଲୁଟେରାଙ୍କୁ ପିଛା କରିବାରୁ ଲୁଟେରା ବୋମା ଫିଙ୍ଗି ସେମାନଙ୍କୁ ଭୟଭୀତ କରାଇ ଖସି ପଳାଇଥିଲେ । ଖବର ପାଇ ସୁକିନ୍ଦା ଥାନା ଅଧିକାରୀ କାବୁଲି ବାରିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସଂଘର ଅନେକ ମହିଳା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ସହ ଲୁଟ୍ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । ଏହି ଘଟଣା ପ୍ରଚାରିତ ହେବାପରେ ସୁକିନ୍ଦା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୁକିନ୍ଦା ଅଞ୍ଚଳରେ ଦିନ ଦ୍ୱିପହରେ ବନ୍ଧୁକ ମୁନରେ ଲୁଟ୍ !!!

