ବାଣପୁର ଗୁପ୍ତେଶ୍ୱର ଦେବ ଦଣ୍ଡ ଠାକୁରଙ୍କ ମେରୁ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ର ପୁରାତନ ଶୈବ ପିଠ ଗାଲୁଆ ଗ୍ରାମର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ଦଣ୍ଡ ଠାକୁରଙ୍କ ମେରୁ ଉତ୍ସବ ସହ ଶନିବାର ରାତିରେ ଦଣ୍ଡ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ୨୧ ଦିନ ଧରି ଦଣ୍ଡଠାକୁର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଭିନ୍ନ ଗ୍ରାମ ପରିକ୍ରମା କରି ପୂର୍ବ ନିର୍ଦ୍ଧାରିତ ଗ୍ରାମରେ ପାଣିତୋଳା ଉତ୍ସବ ଓ ଦଣ୍ଡକାଳୀ ପୂଜା ସହ ଦଣ୍ଡନୃତ୍ୟ ପରିବେଷଣ କରି ଶନିବାର ସକାଳେ ଗାଦିଶ୍ୱର ପୀଠ ଗାଲୁଆ ଗ୍ରାମ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମେରୁଯାତ୍ରା ଅବସରରେ ଅପରାହ୍ଣ ପର୍ଯ୍ୟନ୍ତ ସାହସ୍ରାଧିକ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଗାଲୁଆ ସ୍ଥିତ ଗାଦିରେ ପହଁଚି ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ମାନସିକ ପୂଜାନୀତି ସଂପାଦନା କରିଥିଲେ । ସନ୍ଧ୍ୟାରେ ଦଣ୍ଡ ଠାକୁରଙ୍କ ଚଳିତ ବର୍ଷର ଶେଷ ପାଣିତୋଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦଣ୍ଡ ଠାକୁରଙ୍କ ପାରମ୍ପରିକ ରୀତିନୀତି ସଂପାଦନ ପରେ ପାଟ ପଟୁଆର ସହ ଠାକୁର ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ପରିକ୍ରମା ସମୟରେ ମାନସିକଧାରୀ ଅଧିଆ ପଡ଼ିଥିବା ମହିଳାଙ୍କୁ ମନସ୍କାମନା ପୂରଣ ନିମନ୍ତେ ଦଣ୍ଡକାଳି ବରଦାନ ପ୍ରଦାନ କରିଥିଲେ । ଏହି ମେରୁ ପର୍ବ କୁ ପାଟ ଭଗତା ଭାଗିରଥି ବାରିକି ଏବଂ ଅନନ୍ତ ଚରଣ ବାରିକି ପରିଚାଳନା କରିଥିବା ବେଳେ ୧୧୭ ଜଣ ଭଗତା ଅଂଶ ଗ୍ରହଣ କରିଥିଲେ । ଭଗତା ମାନେ ପ୍ରସାଦ ସେବନ କରିବା ପରେ ଚଳିତ ବର୍ଷ ଦଣ୍ଡ ଉତ୍ସବର ଶେଷ ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା । ନିଶା ରାତ୍ରିରେ ଦଣ୍ଡଠାକୁରଙ୍କୁ ନିଜର ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରାଯାଇ ଉତ୍ସବକୁ ଉଦ୍‌ଯାପିତ କରାଯାଇଥିଲା । ସେହିପରି ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ଶୈବ ପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ଦଣ୍ଡଉତ୍ସବ ପାଟଣାସାହି ଗାଦିଶ୍ୱର ପୀଠରେ, ଭେଟେଶ୍ୱର ଶ୍ରୀ ଭେଟିନାଥ ଦେବ, ସାନହନ୍ତୁଆଡ଼ ଭକ୍ତ ରାଜେଶ୍ୱର ଦେବ, ବଡ ହନ୍ତୁଆଡ ରାଜ ରାଜେଶ୍ୱର ଦେବ, ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ମାଟିଆ ପୋଖରି, ଶ୍ରୀ ଶ୍ରୀ ଝାଡେଶ୍ୱର ଦେବ ଭୀମପୁର, ଶ୍ରୀ ଶ୍ରୀ ଭେଟିନାଥ ଦେବ ଭେଟେଶ୍ୱର, ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ବିଧାରପୁର, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବଡ ସିରେଇପୁର, ଶ୍ରୀ ଶ୍ରୀ ଗାଦିଶ୍ୱର ଦେବ ବେରୁଆଁ ବାଡି, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଅରାଙ୍ଗ, ପଞ୍ଚ ମହାଦେବ,ନୀଳକଣ୍ଠେଶ୍ଵର ଦେବ ଖାରିଆ ପଲ୍ଲୀ, ନାଗରାଜ ଦେବ ବୋରିଗାଁ ପ୍ରଭୃତି ଗାଦିପୀଠରେ ମେରୁ ପର୍ବ ଅନୁଷ୍ଠିତ ହୋଇଯାଇଛି ।।

Leave a Reply

Your email address will not be published. Required fields are marked *