ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍, ଭୁବନେଶ୍ୱର ଶାଖାର ୫ତମ ବାର୍ଷିକ ଉତ୍ସବ କିଟ୍ କନଭେନସନ୍ ସେଣ୍ଟରରେ ଉତ୍ସାହ ଓ ଉତ୍ସର୍ଗର ସହିତ ଆୟୋଜିତ ହୋଇଥିଲା । ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତର ଖ୍ୟାତନାମା କର୍କଟ ଆରୋଗ୍ୟ ବିଶେଷଜ୍ଞ ଡକ୍ଟର ଶୈଳେଶ ଶ୍ରୀଖଣ୍ଡେ , ଟାଟା ମେମୋରିଆଲ ହସ୍ପିଟାଲ, ପ୍ରଫେସର ଏବଂ ହେଡ, କର୍କଟ ସର୍ଜରୀ ମୁଖ୍ୟ, ଜିଆଇ ଏବଂ ଏଚପିବି ସେବା ଟାଟା ମେମୋରିଆଲ ସେଣ୍ଟର ଭିଡିଓ କଲ୍ ମାଧ୍ୟମରେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ କର୍କଟ ଆରୋଗ୍ୟ ବିଶେଷଜ୍ଞ ପ୍ରଫେସର ବିଧୁ କେ ମହାନ୍ତିଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଉତ୍ସବର ଶୁଭାରମ୍ଭ ସନ୍ଧ୍ୟା ୬ଟାରେ ଗଣେଶ ବନ୍ଦନା ଦ୍ୱାରା ହୋଇଥିଲା। । ଏଥିରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରୁ ଅନୁଭବୀ ଚିକିତ୍ସକ ମାନେ ଉପସ୍ଥିତ ଥିଲେ । କ୍ୟାନ୍ସର ପୀଡ଼ିତ ଓ ପୀଡ଼ିତା ମାନଙ୍କୁ ତାଙ୍କ ଅସୁବିଧା ଓ ପ୍ରଶ୍ନ ସମାଧାନ ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଉତ୍ସବର ସାମାଜିକ ସେବା ଅଂଶରେ, ୪୦ ଜଣ କ୍ୟାନ୍ସର ପୀଡ଼ିତାଙ୍କୁ ବିନା ମୂଲ୍ୟରେ ଉନ୍ନତ ମାନର କୃତିମ ସ୍ତନ ଓ କେଶ ପ୍ରଦାନ କରାଯାଇଥିଲା । ଏହା କ୍ୟାନ୍ସର ଜୀବନ ଯୁଦ୍ଧାରୀମାନଙ୍କୁ ମାନସିକ ସମର୍ଥନ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଶ୍ଵାସ ରଖାଯାଇଛି ।ଏଠାରେ ଉଲ୍ଲେଖ୍ୟଯୋଗ୍ୟ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଦୀର୍ଘବର୍ଷ ଧରି ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ରୋଗୀ ମାନଙ୍କୁ ସହାୟତା ପ୍ରଦାନ କରିଆସୁଛି ଓ ବିନା ମୂଲ୍ୟରେ ଉନ୍ନତ ମାନର କୃତିମ ସ୍ତନ ଓ କେଶ ଯୋଗାଇ ଆସୁଛି । ଉତ୍ସବର ଶେଷରେ, ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଅରୂପ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ତାଙ୍କ ସମୟ ଏବଂ ସହଯୋଗ ପାଇଁ ହୃଦୟପୂର୍ବକ ଧନ୍ୟବାଦ ଜଣାଇଥିଲେ।
କୋଣାର୍କ କ୍ୟାନସର ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ପାଳନ !!!

