‘ଉତ୍କଳ ଖଦୀ ମଣ୍ଡଳ’ ସମ୍ପତ୍ତି ହରିଲୁଟ ଅଭିଯୋଗ : ଭିଜିଲାନ୍ସ ତଦନ୍ତ ଓ ବୈଷ୍ଣବ ଦାସଙ୍କ ଗିରଫ ଦାବି !!!

Spread the love
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସତ୍ୟନଗରସ୍ଥିତ ପ୍ରଫୁଲ୍ଲ କର ପାର୍କ ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ଖଦୀ ମଣ୍ଡଳର ସମ୍ପତ୍ତି ହରିଲୁଟ ହୋଇଥିବା ଏବଂ ଏଥିରେ ବୈଷ୍ଣବ ଚରଣ ଦାସ ନାମକ ବ୍ୟକ୍ତି ଓ ତାଙ୍କ ପରିବାର ସାମିଲ ଥିଵା ଅଭିଯୋଗ କରାଯାଇଛି। ବୈଷ୍ଣବ ଦାସ ଓ ତାଙ୍କ ପରିବାର ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଇ ସେମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ବୈଷ୍ଣବ ଚରଣ ଦାସ ନିଜକୁ ଉତ୍କଳ ଖଦୀ ମଣ୍ଡଳର ସଭାପତି ଏବଂ ତାଙ୍କ ଜ୍ୱାଇଁ ରାୟ ସତ୍ୟକାମ ଦେବଜ୍ୟୋତି ସମ୍ପାଦକ ଓ ଝିଅ ଗାୟତ୍ରୀ ଦାସ ସଦସ୍ୟ ଭାବେ ପରିଚୟ ଦେଇ ଉତ୍କଳ ଖଦୀ ମଣ୍ଡଳର ସମ୍ପତ୍ତି ହରିଲୁଟ କରୁଥିବା ଉତ୍କଳ ଖଦୀ ମଣ୍ଡଳର ସଭାପତି ଦେବେନ୍ଦ୍ର କୁମାର ପରିଡା, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ସାଉ, ଭୁବନେଶ୍ୱର ସର୍ବୋଦୟ ମଣ୍ଡଳର ସଭାପତି ପ୍ରଫେସର ଡକ୍ଟର ରୁଦ୍ର ପ୍ରତାପ ଦାସ ଏବଂ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ତଥା ଅନେକ ଗାନ୍ଧୀ ଓ ଖଦୀ ଆଦର୍ଶରେ ଅନୁପ୍ରାଣିତ ତଥା ସର୍ବୋଦୟ କର୍ମୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ୧୯୪୦ ମସିହାରେ “ଅଖିଳ ଭାରତୀୟ ଚରଖା ସଂଘ” ଗଢ଼ିଥିଲେ । ସ୍ୱାଧୀନତା ପରେ ସେହି ସଂଘ ଓଡ଼ିଶାରେ “ଉତ୍କଳ ଖଦୀ ମଣ୍ଡଳ” ନାମରେ ନାମିତ ହେଲା ଏବଂ ଏହା ୧୮୬୦ର ସୋସାଇଟି ପଞ୍ଜୀକରଣ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଛି, ଯାହାର ପଞ୍ଜୀକରଣ ନଂ ୧୦/୧୯୪୭-୪୮। ବାର୍ଦ୍ଧକ୍ୟ ଯୋଗୁଁ “ଉତ୍କଳ ଖଦୀ ମଣ୍ଡଳ”ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନଙ୍କର ଜଣକ ପରେ ଜଣଙ୍କର ଦେହାନ୍ତ ପରେ କାର୍ଯ୍ୟନିର୍ବାହୀ କମିଟି ଆଉ ପୁନର୍ଗଠିତ ହୋଇ ନଥିଲା । ଏହାର ସୁଯୋଗ ନେଇ କିଛି ଅସାମାଜିକ ତତ୍ତ୍ୱ, ଆଇଜିଆର୍‌ଙ୍କ ସମସ୍ତ ନିୟମ ଓ ସର୍ତ୍ତାବଳୀ ଉଲ୍ଲଂଘନ କରି ବିଗତ କେତେବର୍ଷ ଧରି “ଉତ୍କଳ ଖଦୀ ମଣ୍ଡଳ”ର ପଦାଧିକାରୀ – କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦାବି କରୁଛନ୍ତି।
କଟକ ସହରର ଗୁଣନିଧିଭବନ, ଥୋରିଆସାହି; ଖୋର୍ଦ୍ଧା ଜିଲ୍ଲା ପୁରୁଣା ଭୁବନେଶ୍ୱରର କେଦାରଲେନ୍‌, ରାୟଗଡ଼ା ଜିଲ୍ଲାର ଗୋପାଳବାଡ଼ି ଓ କଲ୍ୟାଣସିଂହପୁର; ଯାଜପୁର ଜିଲ୍ଲାର ରାମଚନ୍ଦ୍ରପୁର, ଅରୁଆଳ, ରଂପା, ଗମୁ ଓ ବରୀ; ବରଗଡ଼ ଜିଲ୍ଲାର ପଦ୍ମପୁର; ସମ୍ବଲପୁର ଜିଲ୍ଲାର ଧନକୌଡା; ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା “ଉତ୍କଳ ଖଦୀ ମଣ୍ଡଳ”ର ସଂପତ୍ତି ସେହି ଅସାମାଜିକ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଅଛି। ଏ ବାବଦରେ ଅଭିଯୋଗପତ୍ର ପ୍ରଥମେ ଉତ୍କଳ ଖଦୀ ମଣ୍ଡଳର ପୂର୍ବତନ ସଦସ୍ୟ ଶ୍ରୀମତୀ ସୁମିତ୍ରା ଜେନାଙ୍କ ଠାରୁ ପାଇବା ପରେ ୭ ଏପ୍ରିଲ୍ ୨୦୧୯ରେ ଉତ୍କଳ ସର୍ବୋଦୟ ମଣ୍ଡଳ ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ତେ ପ୍ରସ୍ତାବ ଗୃହୀତ ହୋଇଛି। ପରେ ଉତ୍କଳ ସର୍ବୋଦୟ ମଣ୍ଡଳ ଆଇଜିଆର, କଟକ ଅଫିସ୍‌ରେ ଅନୁଧ୍ୟାନକରି ଜାଣିବାକୁ ପାଇଲେ ଯେ ୨୦୦୦ ମସିହାରୁ ଉତ୍କଳ ଖଦୀ ମଣ୍ଡଳର କୌଣସି କମିଟି ନାହିଁ କିମ୍ବା କୌଣସି କାଗଜପତ୍ର ମିଳୁ ନାହିଁ। ଉତ୍କଳ ସର୍ବୋଦୟ ମଣ୍ଡଳର କର୍ମୀ ବୈଷ୍ଣବ ଚରଣ ଦାସ ନିଜକୁ “ଉତ୍କଳ ଖଦୀ ମଣ୍ଡଳ”ର ସଭାପତି ଭାବେ ୨୦୦୨ ମସିହାରୁ ପ୍ରତିପାଦିତ କରି ଆସୁଛନ୍ତି ଏବଂ “ଉତ୍କଳ ଖଦୀ ମଣ୍ଡଳ”କୁ ଦାନ ସୂତ୍ରରେ ମିଳିଥିବା ଜମିରୁ ଅନେକ ଜମିକୁ ନିଜ ଲୋକମାନଙ୍କ ମଧ୍ୟରେ ବିକ୍ରିକରି ଦେଇକଛନ୍ତି। ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଥିବା ଉତ୍କଳ ଖଦୀ ମଣ୍ଡଳର ଜମିକୁ ଶିଶିର କୁମାର ମଲ୍ଲିକ ନାମକ ଜଣେ ବ୍ୟକ୍ତିକୁ ବୈଷ୍ଣବ ଚରଣ ଦାସ ତଞ୍ଚକତା କରି ବିକ୍ରି କରିଛନ୍ତି । ଏହି ଜମିର ହାଲ ଖାତା ନଂ-୩୨ ପ୍ଲଟ ନଂ-୧୩୫୮ ଏବଂ ଏହା ଏ୦.୩୫ ଡିସିମିଲ ଅଟେ। ଏହି ଜମିକୁ ଶିଶିର ମଲ୍ଲିକ କିଣିଥିଲା ବେଳେ ଉତ୍କଳ ଖଦୀ ମଣ୍ଡଳକୁ ମାତ୍ର ୧.୭୪ ଲକ୍ଷ ଟଙ୍କା ଆସିଥିବା ଜଣାପଡିଛି। ଉତ୍କଳ ଖଦୀ ମଣ୍ଡଳ ପକ୍ଷରୁ ଉତ୍କଳ ସର୍ବୋଦୟ ମଣ୍ଡଳ ବିରୋଧରେ କଟକ ସବ୍‌ଜଜ୍‌ କୋର୍ଟରେ ଏକ ମାମଲା. ୫୧୪/୨୩ ବିଚାରାଧୀନ ଥିଲା ବେଳେ ଏହି ମାମଲାରେ ସାକ୍ଷ୍ୟ ଦେଇ ବୈଷ୍ଣବ ଚରଣ ଦାସ ନିଜକୁ ଉତ୍କଳ ଖଦୀ ମଣ୍ଡଳର ସଭାପତି ଏବଂ  ସେ ଜମି ବିକିଥିବା ସ୍ୱୀକାର କରିଛନ୍ତି ।
“ଉତ୍କଳ ଖଦୀ ମଣ୍ଡଳ”ର ନୂଆ କାର୍ଯ୍ୟକାରୀ କମିଟିକୁ ଆଇଜିଆର ୮ ଏପ୍ରିଲ୍‌ ୨୦୨୬ରେ ସ୍ୱୀକୃତି ଦେଇଛନ୍ତି। ନୂଆ କମିଟିରେ ଦେବେନ୍ଦ୍ର କୁମାର ପରିଡା ସଭାପତି ଓ ସମ୍ପାଦକ ଭାବେ କୁମାରୀ ସ୍ମିତାରାଣୀ ସାମଲଙ୍କୁ ମନୋନୀତ କରାଯାଇଛି । ୨୭ ଏପ୍ରିଲ୍‌ ୨୦୨୬ରେ “ଉତ୍କଳ ଖଦୀ ମଣ୍ଡଳ”ର ନୂତନ କାର୍ଯ୍ୟକାରୀ କମିଟି ପକ୍ଷରୁ ଏକ ସ୍ମାରକପତ୍ର ଓଡ଼ିଶା ସରକାରଙ୍କ ପୁଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇ ଅସାମାଜିକଙ୍କ ହାତରୁ “ଉତ୍କଳ ଖଦୀ ମଣ୍ଡଳ”କୁ ଉଦ୍ଧାର କରି ଏକ ପବିତ୍ର ଅନୁଷ୍ଠାନ ଓ ତା’ର ସମ୍ପତ୍ତିକୁ ବଞ୍ଚାଇବାକୁ ନିବେଦନ କରାଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଳୟ ତ୍ରିପାଠୀ, ନିରାକାର ବେଉରା, ଦୁର୍ଗା ପ୍ରସାଦ ଦାସ, ଶୁଭେନ୍ଦୁ ରାଉତରାୟ, ଖଗେଶ୍ବର ବଳ, ଅରୁଣ ସ୍ବାଇଁ, ସ୍ନେହାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *