ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଗତ କିଛି ସପ୍ତାହ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଟୁଥିବା ହତ୍ୟା, ଭିଡ ହିଂସା,ମହିଳାଙ୍କ ଉପରେ ନିର୍ମମ ହିଂସା ଓ ମାଫିଆ ମାନେ କରୁଥିବା ଆତଙ୍କ ଘଟଣାଗୁଡ଼ିକ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଗଭୀର ଭାବେ ଚିନ୍ତାଜନକ କରିଛି। ଏହି ସମସ୍ତ ଘଟଣା କେବଳ ସାଧାରଣ ଅପରାଧ ନୁହେଁ, ବରଂ ରାଜ୍ୟରେ ଭିଡ଼ ହିଂସା ଦ୍ୱାରା ନିଜେ ନ୍ୟାୟ କରିବାର ଭୟଙ୍କର ପ୍ରବୃତ୍ତି ବଢ଼ୁଥିବାର ସୂଚନା ଦେଉଛି। ସାଧାରଣ ଲୋକ, ବିଶେଷକରି ମହିଳାମାନେ, ନିଜ ସୁରକ୍ଷା ନେଇ ଗଭୀର ଅସୁରକ୍ଷା ବୋଧ କରୁଛନ୍ତି।
ଗଞ୍ଜାମ ଜିଲ୍ଲାରେ ଗର୍ଭବତୀ ଯୁବତୀଙ୍କୁ ନିର୍ମମ ଭାବେ ଖରିଡ଼ା ଗାଁ ଦାଣ୍ଡରେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ସମାଜକୁ ସ୍ତବ୍ଧ ଦେଇଛି। ପୁରୀ ଜିଲ୍ଲାର କଣାସ ଥାନା ପାଖରେ ଜଣେ ଯୁବକଙ୍କୁ ଗୁରୁତର ଭାବେ ଆକ୍ରମଣ କରାଯିବା ଘଟଣା ଗୁଣ୍ଡା ତତ୍ତ୍ୱର ଦାଦାଗିରିକୁ ପ୍ରକାଶ କରୁଛି। ଭୁବନେଶ୍ୱର ନିକଟରେ ଘଟିଥିବା ମବ୍ ଲିଞ୍ଚିଙ୍ଗ/ ଭିଡ ହିଂସା ଘଟଣା ରାଜ୍ୟରେ ଆଇନର ଶାସନ ଦୁର୍ବଳ ହୋଇଥିବାର ଭୟଙ୍କର ଉଦାହରଣ ଅଟେ।
ଏହା ସହ ଖଣି, ବାଲି ଓ ପଥର ମାଫିଆ ସମ୍ପର୍କିତ ହିଂସା ଓ ଆକ୍ରମଣ ଘଟଣା ଦୀର୍ଘଦିନ ଧରି ଚାଲିଆସୁଥିବା ସତ୍ତ୍ୱେ ସେଗୁଡ଼ିକୁ ରୋକିବାରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।
ଗତ କାଲି ଓଡ଼ଗାଁ ଅଞ୍ଚଳରେ ମାଫିଆ ମାନେ ଜଣେ ବ୍ୟକ୍ତିର ଦୁଇ ହାତକୁ ହାଣି ଦେବା ଭଳି ବର୍ବର କାଣ୍ଡ ଘଟାଇଛନ୍ତି।
ଏହି ପରିସ୍ଥିତି ଦର୍ଶାଉଛି ଯେ ପୋଲିସ୍ ବ୍ୟବସ୍ଥା ପ୍ରତି ଭୟ କମିଯାଇଛି, ଆଇନର ଶାସନ ବିପର୍ଯ୍ୟସ୍ତ ହୋଇଛି ଏବଂ ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ଅପରାଧ ତତ୍ତ୍ୱମାନଙ୍କ ସକ୍ରିୟତା ବଢ଼ିଛି। ପାରିବାରିକ ଏବଂ ସାମାଜିକ ବିବାଦ ମଧ୍ୟ ମରଣାନ୍ତକ ରୂପ ନେଉଛି, ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ ବଢ଼ୁଛି ଏବଂ ମହିଳା, ଯୁବତୀ ଓ ଶିଶୁ ମାନଙ୍କ ସୁରକ୍ଷା ଗଭୀର ଚିନ୍ତାର ବିଷୟ ହୋଇଉଠିଛି। ଏହା ରାଜ୍ୟର ଶାସନ ବ୍ୟବସ୍ଥାର ଗୁରୁତର ବିଫଳତା , ବ୍ୟର୍ଥତା ଏବଂ ଅପାରଗତା କୁ ପ୍ରକାଶ କରୁଛି । ଖୋଦ୍ ମୁଖ୍ୟମନ୍ତ୍ରୀ ରାଜ୍ୟ ଗୃହ ବିଭାଗ ର ଦାୟୀତ୍ଵ ରେ ଅଛନ୍ତି। ବିଗତ ୨ବର୍ଷ ର ବିଜେପି ଶାସନ ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରିବା କ୍ଷେତ୍ର ରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ।
ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ମନେ କରେ ଯେ ଏହି ପରିସ୍ଥିତିକୁ ସାଧାରଣ ଘଟଣା ଭାବି ଅବହେଳା କରାଯାଇପାରିବ ନାହିଁ। ରାଜ୍ୟ ସରକାର ତତ୍କ୍ଷଣାତ୍ କଠୋର ପଦକ୍ଷେପ ନେଇ ଆଇନ-ଶୃଙ୍ଖଳା ପୁନରୁଦ୍ଧାର କରିବା ସହ ପୋଲିସ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା, ମାଫିଆ ଓ ଗୁଣ୍ଡା ତତ୍ତ୍ୱଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଏବଂ ସମସ୍ତ ଘଟଣାରେ ଦ୍ରୁତ ଓ ନିରପେକ୍ଷ ତଦନ୍ତ ସହ ଦ୍ରୁତ ବିଚାର ନିଶ୍ଚିତ କରିବା ଆବଶ୍ୟକ।
ଡବଲ ଇଞ୍ଜିନ ବିଜେପି ସରକାରଙ୍କ ଏହି ବିଫଳତା ବିରୋଧ ରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ଦଳ ର ସମସ୍ତ କମିଟି କୁ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କରୁଛି। ଆଇନର ଶାସନ ସୁନିଶ୍ଚିତ କରିବା ଓ ନାଗରିକଙ୍କ ସୁରକ୍ଷା ପାଇଁ ମିଳିତ ସଂଗ୍ରାମ ଆଜିର ଆବଶ୍ୟକତା ବୋଲି ସି ପି ଆଇ(ଏମ୍) ବିଚାର କରୁଛି।

