ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଆମ୍ ଆଦ୍ମୀ ପାର୍ଟିର ରାଷ୍ଟ୍ରୀୟ ନେତା ତଥା ରାଜ୍ୟସଭା ସଦସ୍ୟ ଶ୍ରୀ ସଞ୍ଜୟ ସିଂଙ୍କର ତିନିଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଏବଂ ଓଡ଼ିଶାରେ ଆମ୍ ଆଦମୀ ପାର୍ଟିକୁ ଆଗାମୀ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ମିଳନୀ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି ସମୟ ମଧ୍ୟରେ ସେ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀରେ ସାମିଲ୍ ହେବା ସହିତ କେନ୍ଦୁଝରର ଦିଆନାଳୀ ଗ୍ରାମରେ ଜିତୁ ମୁଣ୍ଡାଙ୍କୁ ସାକ୍ଷାତ କରିଥିଲେ। ଏତଦ୍ ସହିତ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ସାଂସଦ ପାଣ୍ଠିରୁ ଗୋଟେ ନଳ କୂପ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପରେ ରାଉରକେଲା ଠାରେ ଆପର କର୍ମୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିଥିଲେ । ଓଡ଼ିଶାରେ ଆମ୍ ଆଦ୍ମୀ ପାର୍ଟିକୁ ମଜବୁତ୍ କରିବା ପାଇଁ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ନିଷ୍ପତ୍ତି ନେବା ପରେ ଏହା ଶ୍ରୀ ସଂଜୟ ସିଂ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନଙ୍କର ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଥିଲା। ସେମାନଙ୍କ ସହିତ ଓଡ଼ିଶା ସହ ପ୍ରଭାରୀ ଶ୍ରୀ ପୁନିତ୍ ରାୟ ମଧ୍ୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ସହସ୍ରାଧିକ କର୍ମୀଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଦଳ ମଜବୁତିର ସହିତ ନିର୍ବାଚନ ଲଢିବ ବୋଲି ରଣନୀତି ପ୍ରସ୍ତୁତ ହୋଇଥିଲା। ଓଡ଼ିଶାରେ ମୋହନ ମାଝୀ ସରକାର ସାଧାରଣ ଜନତାଙ୍କର ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ଓଡ଼ିଶାରେ ରାଜନୈତିକ ନେତୃତ୍ୱର ଅଭାବ ରହିଛି। ଅନ୍ୟ ପକ୍ଷରେ ଓଡ଼ିଶାରେ ଉଭୟ କଂଗ୍ରେସ୍ ପାର୍ଟି ଏବଂ ବିଜୁ ଜନତା ଦଳ ବିରୋଧୀ ଦଳର ଭୂମିକା ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ତେଣୁ ଆପର କର୍ମୀମାନେ କଠୋର ପରିଶ୍ରମ କରିବା ପାଇଁ ଏବଂ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତ ଏବଂ ପୌର ପରିଷଦରେ ମଜବୁତ୍ ସଂଗଠନ କରିବା ପାଇଁ ଆହ୍ୱାନ ଦେଇ ଶ୍ରୀ ସଂଜୟ ସିଂ ଆଗାମୀ ଦିନରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାରେ ପଞ୍ଚାୟତ ଏବଂ ମ୍ୟୁନିସିପାଲଟି ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିବା ସହିତ ୨୦୨୯ରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାରେ ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥଲେ।
ସାଂସଦ ସଞ୍ଜୟ ସିଂ ଙ୍କ ଓଡ଼ିଶା ଗସ୍ତ : ଆପ୍ ପାଇଁ ସଂଜୀବନୀ !!!

