ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନିୟମଗିରି ସୁରକ୍ଷା ସମିତିର ପ୍ରମୁଖ ଆଦିବାସୀ ନେତା ଶ୍ରୀ ଲଦ ସିକକାଙ୍କ ବିରୋଧରେ ଲାଞ୍ଜିଗଡ଼ ଅଦାଲତ ଦ୍ୱାରା ଜାରି ହୋଇଥିବା ସମ୍ପତ୍ତି ଜବତ୍ ନୋଟିସ୍/ ନିର୍ଦ୍ଦେଶ କୁ ସି. ପି.ଆଇ(ଏମ୍) ଗଭୀର ଉଦବେଗ ପ୍ରକାଶ କରୁଛି ଏବଂ ଦୃଢ଼ତାର ସହିତ ପ୍ରତିବାଦ କରୁଛି ।ଏହି ନୋଟିସ୍ ଆଦିବାସୀ ଜନଜୀବନ ଏବଂ ସମ୍ପ୍ରଦାୟର ଅଧିକାର ପ୍ରତି ଅସମ୍ବେଦନଶୀଳ, ଅପମାନ ଏବଂ ଅମାନବୀୟ ବୋଲି ଆମେ ମନେ କରୁଛୁ।
ଶ୍ରୀ ଲଦ ସିକକା ଜଣେ ନିଃସ୍ୱ ଏବଂ ସଂଗ୍ରାମୀ ଆଦିବାସୀ ନେତା, ଯାହାଙ୍କର କୌଣସି ବିରାଟ ସମ୍ପତ୍ତି ନାହିଁ। ସେ କେବଳ ସମାଜ ପାଇଁ ଚିନ୍ତା କରୁଥିବା ନିଜର ମସିଷ୍କ ଏବଂ ଶରୀର ସହିତ ସରକାରୀ ସହାୟତାରେ ନିର୍ମିତ ଏକ ଛୋଟ ଘର ଉପରେ ନିର୍ଭର କରନ୍ତି। ନିୟମଗିରି ପାହାଡ଼ର ଜୈବ ବିବିଧତା ଏବଂ ଡଙ୍ଗରିଆ କନ୍ଧ ଜନଜାତିର ଅଧିକାର ରକ୍ଷା ପାଇଁ ଦୀର୍ଘଦିନ ଧରି ସେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଆସୁଛନ୍ତି। ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସଫଳତା ଲାଭ କରିଛି ଏବଂ ଆଦିବାସୀ ଅଧିକାରକୁ ସ୍ୱୀକୃତି ଦେଇଛି ।
ଯେଉଁ ବ୍ୟକ୍ତିର କୌଣସି ଉଲ୍ଲେଖଯୋଗ୍ୟ ସମ୍ପତ୍ତି ନାହିଁ, ତାଙ୍କ ବିରୋଧରେ ସମ୍ପତ୍ତି ଜବତ ପରି ଚରମ ପଦକ୍ଷେପ କେତେ ଦୂର ଉପଯୁକ୍ତ ଏବଂ ଯୁକ୍ତିଯୁକ୍ତ ? ଆଇନ ଅନୁଯାୟୀ ଅଦାଲତରେ ତାଙ୍କର ଅନୁପସ୍ଥିତି ପାଇଁ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରାଯିବା ଉଚିତ୍ ଥିଲା।
ଆଦିବାସୀ ଅଞ୍ଚଳରେ ପଞ୍ଚାୟତ ସମ୍ପ୍ରସାରଣ ସମ୍ବନ୍ଧୀୟ ଆଇନ୍ (PESA-୧୯୯୬), ଜଙ୍ଗଲ ଅଧିକାର ଆଇନ୍ (FRA-୨୦୦୬) ଏବଂ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୪୪ ଏବଂ ପଞ୍ଚମ ଅନୁସୂଚୀ ଅନୁଯାୟୀ ଆଦିବାସୀ ଜୀବନଧାରା ଏବଂ ସଂସ୍କୃତିର ସମ୍ବେଦନଶୀଳତା ବିଚାର କରାଯିବା ଆବଶ୍ୟକ।
ଏହି ପଦକ୍ଷେପ ଆଦିବାସୀ ସମ୍ପ୍ରଦାୟର ଉପରେ ମାନସିକ ଏବଂ ଆର୍ଥିକ ଚାପ ସୃଷ୍ଟି କରିବ ଏବଂ ଶାନ୍ତିପୂର୍ଣ୍ଣ ଜୀବନ-ଯାପନ କୁ ପ୍ରଭାବିତ କରିବ।
ବିଭିନ୍ନ ଘଟଣାରେ ବାରମ୍ୱାର ସରକାର,ପ୍ରଶାସନ ଏବଂ ଅଦାଲତ ଦ୍ବାରା ଆଦିବାସୀମାନଙ୍କୁ ଏହିଭଳି ଆଘାତପୂର୍ଣ୍ଣ ଦୃଷ୍ଟିକୋଣ ଗ୍ରହଣୀୟ ନୁହେଁ।
ଆମେ ଲଞ୍ଜିଗଡ଼ ଅଦାଲତଙ୍କୁ ଅନୁରୋଧ କରୁଛୁ ଯେ, ଏହି ନୋଟିସ୍ ପ୍ରତ୍ୟାହାର କରି ଆଇନଗତ ପ୍ରକ୍ରିୟାର ସମ୍ପୂର୍ଣ୍ଣତା ଏବଂ ମାନବିକତାର ପରିଚୟ ଦିଅନ୍ତୁ। ଆଦିବାସୀ ନେତାଙ୍କୁ ହଇରାଣ କରିବା ପରିବର୍ତ୍ତେ ବିକଳ୍ପ ଉପାୟ ଅବଲମ୍ବନ କରାଯାଉ। ରାଜ୍ୟ ସରକାର ଏବଂ ଉଚ୍ଚ ଅଧିକାରୀମାନେ ହସ୍ତକ୍ଷେପ କରି ଏହି ପରିସ୍ଥିତିର ସମାଧାନ କରନ୍ତୁ।ନିୟମଗିରି ପାହାଡ଼ ଆଦିବାସୀଙ୍କ ପରିଚୟ। ଆଦିବାସୀଙ୍କ ପାରମ୍ପାରିକ ଅଧିକାର ଏବଂ ଗଣତାନ୍ତ୍ରିକ ପ୍ରତିବାଦ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ସି.ପି.ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି।
ଆଦିବାସୀ ନେତା ଲଦ ସିକକାଙ୍କୁ ଲାଞ୍ଜିଗଡ଼ ଅଦାଲତ ଦ୍ବାରା ସମ୍ପତ୍ତି ଜବତ୍ ନୋଟିସ୍ ଅମାନବୀୟ – ସି.ପି.ଆଇ(ଏମ୍) !!!

