ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢ଼ୀ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ଥିଲା “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” । ଏହି ଅବସରରେ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସହାୟକ ଭୂମିକା ଗ୍ରହଣ କରେ । ସେ ଦୈନିକ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଶପଥ ପାଠ କରାଇଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଦୈନିକ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଯୋଗ ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଉପସ୍ଥିତ ଅତିଥି, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ । ସେହିପରି ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି , କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


