ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ଯିବା ରାସ୍ତାରେ ଅବସ୍ଥିତ ରୋୟାଲ ବାର ଏବଂ ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ୨୦୨୪ମସିହା ମେ ମାସ ୩ତାରିଖରେ ଘଟିଥିବା ତୁମୁଳକାଣ୍ଡ ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ହର ପ୍ରସାଦ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୪ରେ ପାରଳାଖେମୁଣ୍ଡି ମଡେଲ ଥାନା ଅନ୍ତର୍ଗତ ସେରୀ ସାହି ନିବାସୀ ଅଭିଯୁକ୍ତ ତୋଟା ନିଲ୍ଲମ ଓରଫ ତୋଟା ନୀଳକଣ୍ଠ ରାଓ (୩୭ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ତଥା ଧାରା ୩୨୫ରେ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ତା ୦୩-୦୫-୨୦୨୪ରିଖରେ ଅଭିଯୁକ୍ତ ଜଣଙ୍କ ମଧ୍ୟାହ୍ନ ସମୟରେ ଉକ୍ତ ବାରକୁ ମଦ ପିଇବାକୁ ଆସି ମଦ ମାଗିଥିଲେ ଓ ଉପସ୍ଥିତ କର୍ମଚାରୀ ଟୁନା କାର୍ଜି ସର୍ଭିସ ଦେବା ସମୟରେ ତାଙ୍କୁ ସେ ହାର୍ଡ ସୋଡା ବୋତଲ କିଣି ଆଣିବାକୁ ପଇସା ଦେଇଥିଲେ। କିନ୍ତୁ ଉକ୍ତ କର୍ମଚାରୀ ଦୋକାନ ବନ୍ଦ ଅଛି କହି ପଇସା ଫେରାଇ ଦେଇଥିଲେ। ପରେ ଅଭିଯୁକ୍ତଜଣଙ୍କ ବାହାରୁ କେଉଁଠୁ ସୋଡା ଆଣି ସେଠି ସୋଡା ଓ ମଦ ମିଶାଇ ପିଇବା ପରେ ଉପରୋକ୍ତ କର୍ମଚାରୀଙ୍କୁ ବିନା କାରଣରେ ଡାକି ଅଭଦ୍ର ଭାଷାରେ ଗାଳି ଦେବା ସହ ତାଙ୍କ ମୁହଁକୁ ମୁଥ ମାରି କ୍ଷତାକ୍ତ କରିଥିଲେ। ସେତେବେଳେ ଉକ୍ତ ବାରର ମ୍ୟାନେଜର ତଥା ଏତଲାକାରୀ ଭି. ଶ୍ରୀନିବାସ ରାଓ ଏହାକୁ ବିରୋଧ କରି ଅଭିଯୁକ୍ତଙ୍କୁ ଅଟକାଇବାରୁ ଅଭିଯୁକ୍ତ ଜଣଙ୍କ ସେହି ମଦ ବୋତଲରେ ତାଙ୍କ ପେଟକୁ ଭୂଷିବାକୁ ଗଲା ବେଳେ ସେ ହାତରେ ଅଟକାଇବାରୁ ତାଙ୍କର ଡାହାଣ ହାତ ରକ୍ତାକ୍ତ ହୋଇଥିଲା ଓ ପରେ ସେହିଭଳି ତାଙ୍କ ବାମ ହାତ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ନିଜକୁ ବଞ୍ଚାଇବାକୁ ଯାଇ ଏତଲାକାରି ଯେତେବେଳେ ଥାନା ଆଡ଼କୁ ଦୌଡୁଥିଲେ ସେତେବେଳେ ଅଭିଯୁକ୍ତଜଣଙ୍କ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ମଦ ବୋତଲରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେବା ସହ ଜୀବନରେ ମାରିବାକୁ ଧମକ ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ଏତଲାକାରୀ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସଙ୍ଗିନ ମାମଲା ଦାୟର କରିଥିଲେ ଯାହାକି ମାମଲା ନମ୍ବର ୧୬୦/୨୪ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ସବ ଇନ୍ସପେକ୍ଟର ଲକ୍ଷ୍ମଣ ବେଶ୍ରା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୯ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ୫ବର୍ଷର ସଶ୍ରମ ସଜା ଶୁଣାଇଛନ୍ତି।
ମଦ ପିଇବାକୁ ନେଇ ତୁମୁଳକାଣ୍ଡ : ୫ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବେ ମୁଖ୍ୟ ଅଭିଯୁକ୍ତ !!!

