ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲାର ବହୁ ପରିବାର ଦୀର୍ଘ ବର୍ଷ ଧରି ଜୀବିକା ଅନ୍ଵେଷଣରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ଉପରେ ନିର୍ଭର କରନ୍ତି । ଜିଲ୍ଲାର ଗୁମ୍ମା, ଗୋଷାଣୀ ଓ କାଶୀନଗର ବ୍ଲକର ବହୁ ଲୋକ ହାଇଦ୍ରାବାଦ, ବିଶାଖାପଟ୍ଟନମ ଓ ବିଜୟୱାଡାରେ ରହି ବିଭିନ୍ନ କ୍ଷେତ୍ରରେ କାମ କରି ନିଜ ପରିବାର ଚଳାଉଛନ୍ତି । ଏତେ ସଂଖ୍ୟକ ପ୍ରବାସୀ ଶ୍ରମିକ ଓ କର୍ମଜୀବୀ ଥିଲେ ମଧ୍ୟ ଗଜପତିରୁ ଏହି ପ୍ରମୁଖ ସହର ଗୁଡ଼ିକୁ ସିଧାସଳଖ ସରକାରୀ ବସ ସେବା ନାହିଁ । ଫଳରେ ଏହି ଶ୍ରମଜୀବୀ ମାନେ ସେମାନଙ୍କ କର୍ମସଂସ୍ଥାନକୁ ଯିବା ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇଦ୍ରାବାଦରେ ଫୁଲ ଚାଷ, କାରଖାନା ଓ ସେବା କ୍ଷେତ୍ରରେ, ବିଶାଖାପଟ୍ଟନମରେ ଇସ୍ପାତ ଶିଳ୍ପ, ବନ୍ଦର ଏବଂ ଅନ୍ୟାନ୍ୟ ଶିଳ୍ପାଞ୍ଚଳରେ ଗଜପତି ଜିଲାର ଅନେକ ଯୁବକ କାର୍ଯ୍ୟରତ ଅଛନ୍ତି । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟସ୍ଥଳୀ ସ୍ଥଳକୁ ଯିବା ପାଇଁ ଓଡ଼ିଶାରୁ ସେହି ସହର ଗୁଡ଼ିକୁ ଯାତାୟାତ ପାଇଁ ସରକାରୀ ବସ୍ ସୁବିଧା ନାହିଁ I ପାର୍ବତୀପୁରମରୁ ଆନ୍ଧ୍ର ପ୍ରଦେଶର ବସ ସେବା ଉପଲବ୍ଧ ଥିଲେ ମଧ୍ୟ ପାରଳାଖେମୁଣ୍ଡିରୁ ହାଇଦ୍ରାବାଦ, ବିଶାଖାପଟ୍ଟଣମ ଓ ବିଜୟୱାଡାକୁ ସିଧାସଳଖ ଓଏସ୍ଆରଟିସି ବସ୍ ନାହିଁ । ଏଥିପାଇଁ ସେମାନଙ୍କୁ ବାରମ୍ବାର ଗାଡ଼ି ବଦଳାଇ ଯାତ୍ରା କରିବାକୁ ପଡ଼ୁଛି । ଗଜପତିରୁ ହାଇଦ୍ରାବାଦ, ବିଶାଖାପଟ୍ଟଣମ ଓ ବିଜୟୱାଡାକୁ ସିଧାସଳଖ ଓଏସ୍ଆରଟିସି ବସ ସେବା ଆରମ୍ଭ କରିବାକୁ ପ୍ରବାସୀ ଓ ଜିଲାବାସୀ ଦାବି କରିଛନ୍ତି । ଏ ନେଇ ଜିଲାବାସୀ ବହୁବାର ମନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।
ଆନ୍ଧ୍ର – ତେଲଙ୍ଗାନା କୁ ଗଜପତିରୁ ନାହିଁ ଓଏସ୍ଆରଟିସି ବସ୍ !!!

