ରାଜସ୍ୱ ଗ୍ରାମ କରିବା ପ୍ରକ୍ରିୟାକୁ ବିରୋଧ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ତହସିଲର ବାଆଁରା ଗ୍ରାମରେ ରାଜସ୍ୱ ଗ୍ରାମ ଘୋଷଣାକୁ ନେଇ ବିବାଦ ଦେଖାଦେଇଛି। ବାଆଁରା ଗ୍ରାମର ପଡ଼ାଗାଁ ରାମଚଣ୍ଡୀକୁ ରାଜସ୍ୱ ଗ୍ରାମ ଘୋଷଣା କରିବା ପାଇଁ ଚାଲିଥିବା ପ୍ରକ୍ରିୟାକୁ ବାଆଁରା ଗ୍ରାମବାସୀ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାଜସ୍ୱ ଗ୍ରାମ ଘୋଷଣା ସମ୍ପର୍କରେ ସେମାନେ ପୂର୍ବରୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ। ଏହା ପୂର୍ବରୁ ଡମପଡ଼ା ତହସିଲରେ ଥିବା ତହସିଲଦାରଙ୍କ ସମୟରେ ମଧ୍ୟ ଏହି ଦାବି ଖାରଜ ହୋଇଥିବା ଗ୍ରାମବାସୀ କହିଛନ୍ତି । ତେବେ ବର୍ତ୍ତମାନ ରାମଚଣ୍ଡୀକୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବାରମ୍ବାର ନୋଟିସ୍ ଦିଆଯାଉଥିବା ଅଭିଯୋଗ କରି ବାଆଁରା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତହସିଲଦାରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ରାଜସ୍ୱ ଗ୍ରାମ ଘୋଷଣା ପୂର୍ବରୁ ଆବଶ୍ୟକ ସୀମା ନିର୍ଦ୍ଧାରଣ କରାଯାଇନାହିଁ। ଏଥିସହ ପଞ୍ଚାୟତସ୍ତରରେ ମଧ୍ୟ କୌଣସି ବୈଠକ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।ରାମଚଣ୍ଡୀକୁ ପଡ଼ାଗାଁରୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଆବଶ୍ୟକ ସରକାରୀ ନିୟମ ଓ ଯୋଗ୍ୟତା ପୂରଣ ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସେମାନଙ୍କ ଦାବି ହେଉଛି, ପ୍ରଶାସନ ପକ୍ଷରୁ ଗ୍ରାମସଭା ଡକାଇ ରାମଚଣ୍ଡୀକୁ ରାଜସ୍ୱ ଗ୍ରାମ ଘୋଷଣା କରିବା ପାଇଁ ଥିବା ସମସ୍ତ ନିୟମ, ଯୋଗ୍ୟତା ଓ ପ୍ରକ୍ରିୟା ସର୍ବସମ୍ମୁଖରେ ସ୍ପଷ୍ଟ କରାଯାଉ। ଏହାସହ ରାମଚଣ୍ଡୀ ଗ୍ରାମ ପକ୍ଷରୁ ଦିଆଯାଇଥିବା ଦସ୍ତଖତ ମଧ୍ୟରୁ କେତେକ ଦସ୍ତଖତ ଜାଲିଆତି ହୋଇଥିବା ବାଆଁରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ତୁରନ୍ତ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଅଣାଯାଉ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ବାଆଁରା ଗ୍ରାମର ସଭାପତି ଅକ୍ଷୟ ରାଉତ କହିଛନ୍ତି ଯେ, ବାଆଁରା ଗ୍ରାମବାସୀଙ୍କ ସହମତି ନଥିବା ସ୍ଥିତିରେ ରାମଚଣ୍ଡୀକୁ ରାଜସ୍ୱ ଗ୍ରାମ ଘୋଷଣା କରିବା ପ୍ରକ୍ରିୟା ନେଇ ପ୍ରଶାସନ ନିରପେକ୍ଷ ଭାବେ ତଦନ୍ତ କରିବା ଆବଶ୍ୟକ। ସରକାରୀ ନିୟମ ଓ ନିର୍ଦ୍ଧାରିତ ଯୋଗ୍ୟତା ପୂରଣ ହୋଇଛି କି ନାହିଁ, ତାହା ଯାଞ୍ଚ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି।

 

 

Leave a Reply

Your email address will not be published. Required fields are marked *