ବିଶିଷ୍ଟ ଶିକ୍ଷକ ନେତା ଓ ବାମପନ୍ଥୀ ବୁଦ୍ଧିଜୀବୀ ପୀତବାସ ବେହୁରିଆଙ୍କ ବିୟୋଗରେ ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟିର ଶୋକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ବରିଷ୍ଠ ନେତା, ସୁନାମ ଧନ୍ୟ ଶିକ୍ଷକ ଓ ସୁବକ୍ତା ଶ୍ରୀ ପୀତବାସ ବେହୁରିଆଙ୍କ ବିୟୋଗରେ ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ଗଭୀର ଶୋକ ପ୍ରକାଶ କରୁଛି।

ତାଙ୍କର ବିୟୋଗରେ ଓଡ଼ିଶା କେବଳ ଜଣେ ଅଭିଜ୍ଞ ଓ ସଂଗ୍ରାମୀ ଶିକ୍ଷକ ନେତାଙ୍କୁ ହରାଇନାହିଁ, ବରଂ ହରାଇଛି ଜଣେ ସୁବକ୍ତା, ଶବ୍ଦର ଯାଦୁକର, ଜଣେ ନିଷ୍ଠାବାନ୍ ସଂଗ୍ରାମୀ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ନିରନ୍ତର ସଂଗ୍ରାମ କରୁଥିବା ଜଣେ ପ୍ରତିବଦ୍ଧ ସାର୍ବଜନୀନ ବ୍ୟକ୍ତିତ୍ୱଙ୍କୁ।

ପୀତବାସ ବେହୁରିଆଙ୍କର ବକ୍ତୃତ୍ୱ ଥିଲା ତାଙ୍କର ସ୍ୱତନ୍ତ୍ର ପରିଚୟ। କେବଳ କ’ଣ କହିବାକୁ ହେବ ତାହା ନୁହେଁ, କେତେବେଳେ କହିବାକୁ ହେବ, କିପରି କହିବାକୁ ହେବ ଏବଂ ନିଜ କଥା ସହିତ ଶ୍ରୋତାଙ୍କୁ କିପରି ଯୋଡ଼ି ରଖିବାକୁ ହେବ—ଏହି ଦୁର୍ଲଭ କଳା ସେ ଆୟତ୍ତ କରିଥିଲେ। ତାଙ୍କର ଯୁକ୍ତିପୂର୍ଣ୍ଣ ଉପସ୍ଥାପନା, ଶବ୍ଦଚୟନ, ତୀକ୍ଷ୍ଣ ବିଶ୍ଳେଷଣ ଓ ପ୍ରଭାବଶାଳୀ ଭାଷଣ ଶ୍ରୋତାଙ୍କ ମନରେ ଗଭୀର ଛାପ ଛାଡ଼ୁଥିଲା। ଓଡ଼ିଶାର ବିଭିନ୍ନ ମଞ୍ଚରେ ତାଙ୍କର ସ୍ୱର ଏକ ସ୍ୱତନ୍ତ୍ର ପ୍ରଭାବ ଓ କମ୍ପନ ସୃଷ୍ଟି କରିଥିଲା।

ଶିକ୍ଷକ ସମାଜର ଅଧିକାର, ମର୍ଯ୍ୟାଦା ଓ ନ୍ୟାୟସଙ୍ଗତ ଦାବି ପାଇଁ ତାଙ୍କର ଦୀର୍ଘ ଓ ନିରନ୍ତର ସଂଗ୍ରାମ ତାଙ୍କୁ ଶିକ୍ଷକ ଆନ୍ଦୋଳନର ଏକ ସ୍ମରଣୀୟ ବ୍ୟକ୍ତିତ୍ୱରେ ପରିଣତ କରିଥିଲା। ସେ ଜୟଚଣ୍ଡୀ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ତଥା OSSTAର ପୂର୍ବତନ ସମ୍ପାଦକ ଥିଲେ । ଓଡ଼ିଶାର ଶିକ୍ଷକ ଆନ୍ଦୋଳନକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର ଦୀର୍ଘ ସାର୍ବଜନୀନ ଜୀବନର ସବୁଠାରୁ ଉଜ୍ଜ୍ୱଳ ପରିଚୟ ଥିଲା—ତାଙ୍କର ସ୍ୱର। ସେହି ସ୍ୱରରେ ଥିଲା ଲୋକଙ୍କ ପାଇଁ ଚେତନା, ସଂଗ୍ରାମର ଆହ୍ୱାନ, ଯୁକ୍ତିର ଦୃଢ଼ତା ଓ ନିଜ ଆଦର୍ଶ ପ୍ରତି ଅତୁଟ ନିଷ୍ଠା।

ଆଜି ସେହି ସ୍ୱର ନୀରବ ହୋଇଯାଇଛି। କିନ୍ତୁ ଶିକ୍ଷକ ଆନ୍ଦୋଳନ, ଜନଆନ୍ଦୋଳନ ଓ ସାର୍ବଜନୀନ ଜୀବନ ପ୍ରତି ତାଙ୍କର ଅବଦାନ ଏବଂ ତାଙ୍କର ସଂଗ୍ରାମୀ ସ୍ମୃତି ସବୁଦିନ ପାଇଁ ଅମର ରହିବ।

ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି
ଶ୍ରୀ ପୀତବାସ ବେହୁରିଆଙ୍କ ପରିବାରବର୍ଗ, ସହଯୋଗୀ, ଶିକ୍ଷକ ସମାଜ ଏବଂ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁଙ୍କ ପ୍ରତି ଆନ୍ତରିକ ସମବେଦନା ଜ୍ଞାପନ କରୁଛି।

Leave a Reply

Your email address will not be published. Required fields are marked *