କେରାଣ୍ଡିରେ ସଫଳତାର ସହ ଅନୁଷ୍ଠିତ ହେଲା ମିନି କୃଷକ ମେଳା–୨୦୨୬ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପାରଳାଖେମୁଣ୍ଡି ଅଧୀନସ୍ଥ ଏମ୍.ଏସ୍. ସ୍ୱାମୀନାଥନ୍ ସ୍କୁଲ୍ ଅଫ୍ ଆଗ୍ରିକଲଚର (MSSSoA) ର RAWEP (Rural Agricultural Work Experience Programme) ୨୦୨୫–୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ମିନି କୃଷକ ମେଳା–୨୦୨୬ ଗଜପତି ଜିଲ୍ଲାର ଗୋସାଣି ବ୍ଲକ ଅନ୍ତର୍ଗତ ରାମଲିଙ୍ଗେଶ୍ୱର ଆଦର୍ଶ ପ୍ରାଥମିକ ସମବାୟ ସମିତି, କେରାଣ୍ଡି ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀମାନଙ୍କ ମଧ୍ୟରେ ଆଧୁନିକ କୃଷି ପ୍ରଯୁକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ନୂତନ କୃଷି ପଦ୍ଧତିର ପ୍ରଦର୍ଶନ କରିବା ଏବଂ ଚାଷୀ ଓ କୃଷି ବିଶେଷଜ୍ଞମାନଙ୍କ ମଧ୍ୟରେ ସିଧାସଳଖ ମତ ବିନିମୟର ସୁଯୋଗ ସୃଷ୍ଟି କରିବା।

ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଏମ୍. ପ୍ରକାଶ ରାଓ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO), ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର (ଡ଼ଃ) ସାଗର ମୈତ୍ର, ଡିନ୍, ଏମ୍.ଏସ୍. ସ୍ୱାମୀନାଥନ୍ ସ୍କୁଲ୍ ଅଫ୍ ଆଗ୍ରିକଲଚର, CUTM ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ପାଲାକୋଣ୍ଡା ଉଷାଶ୍ରୀ, ଭିଲେଜ୍ ଆଗ୍ରିକଲଚର ଆସିଷ୍ଟାଣ୍ଟ (VAA), ବସୁନ୍ଧରା RSK ସଭାପତିତ୍ୱ କରିଥିଲେ। ଏଥିସହ ରାଟ୍ଟିଣୀ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ହରିଶ୍ଚନ୍ଦ୍ର ସାମଲ ଏବଂ କେରାଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ୟେରୁସୁ ଡୋଣ୍ଡାପାଣି ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।

ଉପସ୍ଥିତ ଅତିଥିମାନେ RAWEP ଛାତ୍ରଛାତ୍ରୀଙ୍କ ଦ୍ୱାରା କୃଷି ବୈଜ୍ଞାନିକ ଜ୍ଞାନକୁ ଚାଷୀମାନଙ୍କ ପାଖରେ ପହଞ୍ଚାଇବାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ ଚାଷୀମାନଙ୍କୁ ଉନ୍ନତ କୃଷି ପଦ୍ଧତି, ସମନ୍ୱିତ ପୋଷକ ଓ କୀଟ ପରିଚାଳନା, ମୃତ୍ତିକା ପରୀକ୍ଷା, ଜଳ ସଂରକ୍ଷଣ ଏବଂ ଜଳବାୟୁ ଅନୁକୂଳ କୃଷି ପ୍ରଣାଳୀ ଅପନାଇବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ RAWEP ଛାତ୍ରଛାତ୍ରୀମାନେ କୃଷିର ବିଭିନ୍ନ ବିଷୟ ଉପରେ ପାଞ୍ଚଟି ବିଷୟଭିତ୍ତିକ ଚାର୍ଟ ପ୍ରଦର୍ଶନୀ ଓ ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଏହା ସହିତ କୃଷକ–ବୈଜ୍ଞାନିକ ଆଲୋଚନା କାର୍ଯ୍ୟକ୍ରମରେ ଚାଷୀମାନେ ନିଜ କୃଷି ସମସ୍ୟା ସମ୍ପର୍କରେ ବିଶେଷଜ୍ଞମାନଙ୍କ ସହ ସିଧାସଳଖ ଆଲୋଚନା କରି ବୈଜ୍ଞାନିକ ପରାମର୍ଶ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା, ସ୍ଥାନୀୟ ଜନପ୍ରତିନିଧି, ପ୍ରଗତିଶୀଳ ଚାଷୀ ଏବଂ ବି. ସୀତାପୁର, କେରାଣ୍ଡି, ଡାଲିମ୍ବପୁର, ଆମରା ଓ ରାଟ୍ଟିଣୀ ଗ୍ରାମର ବହୁ ଚାଷୀ ଯୋଗଦେଇଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *