ନିଆରା ପ୍ରକୃତିପ୍ରେମୀ : ବାଙ୍କୀର ଶିକ୍ଷିତ ଯୁଗଳବନ୍ଦୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସେତେବେଳେ ଏତେ ଗଛ ଲଗାଇବା ସୁଯୋଗ ନ ଥିଲା | ବାପା ବାଡ଼ିରେ ଗଛ ଲଗେଇ ଭାରି ଯତ୍ନ ନିଅନ୍ତି | ବାପାଙ୍କ ପ୍ରେରଣା ଆଉ ଉତ୍ସାହ ତାଂକୁ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା ପାଇଁ ଆଗ୍ରହ ଯୋଗାଇଛି |ବିବାହ ପରେ ପିଲାମାନେ ଆଉ ନିଜର ଶିକ୍ଷିତା ପତ୍ନୀ ମଧ୍ୟ ଏ ଦିଗରେ ସହଯୋଗୀ କଲେ |ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଏହି ଶିକ୍ଷିତ ଦମ୍ପତି ତଥା ପ୍ରକୃତି ବନ୍ଧୁ ଆଦର୍ଶ ଯୁଗଳବନ୍ଦୀ ଯୋଡି । ବର୍ତ୍ତମାନ ଉଭୟ ଶିକ୍ଷକ ଦମ୍ଫତ୍ତି କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନରଗାଙ୍ଗରେ ଶିକ୍ଷକତା କରୁଛନ୍ତି । ନିଜର ସ୍ଥାୟୀ ଘର ହେଉଛି ଉକ୍ତ ବାଙ୍କୀ ଡମପଡା ବ୍ଲକର ପ୍ରାକୃତିକ ପରିବେଶ ପୂର୍ଣ୍ଣ, ପୌରାଣିକ ଏତିହ୍ୟ ସମ୍ପର୍ଣ ପାହାଡ ପର୍ବତ ଘେରା ଢ଼ଂସର ଗ୍ରାମ ପଞ୍ଚାୟତରେ । ପେଶା ସିନା ଶିକ୍ଷକତା । ହେଲେ ନିଶା ହେଉଛି ସେମାନଙ୍କର ଅସନ୍ତୁଳିତ ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା । ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୨୦୨୦ ମସିହାରେ ଶ୍ରୀଯୁକ୍ତ ବଳରାମ ପାଇକରାୟଙ୍କୁ ଓ ୨୦୨୫ ମସିହାରେ ଶ୍ରୀମତୀ ନିବେଦିତା ପାଇକରାୟଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ ଜନକ ” ପ୍ରକୃତି ବନ୍ଧୁ ” ପୁରଷ୍କାର ପ୍ରଦାନ କରାଯାଇଛି ।2022 ମସିହାରେ ସାମାଜିକ ଅନୁଷ୍ଠାନ ନେସ୍କୋକୁ ମଧ୍ୟ “ପ୍ରକୃତି ମିତ୍ର” ସମ୍ମାନ ମିଳିଛି |

ଉଭୟ ଦମ୍ଫତ୍ତି ପ୍ରକୃତିକୁ ଏତେ ଭଲ ପାଉଛନ୍ତି ଯେ ପବିତ୍ର ” ଗୁରୁ ଦିବସ ହେଉ କି ଜନ୍ମାଷ୍ଟମୀ, ଅଗଷ୍ଟ ପନ୍ଦର, ଜାନୁଆରୀ 26 ଉତ୍ସବ ପରି ସ୍ମରଣୀୟ ଦିବସ ପାଳନ ଅବସରରେ ନିଜ ବାଡ଼ିରେ ନିଜେ ସଯତ୍ନରେ ବଢାଇଥିବା ଚାରାମାନଙ୍କୁ ବିନା ମୂଲ୍ଯରେ ନିଜ ଗାଡିରେ ବିଭିନ୍ନ ଗାଁ,ଶିକ୍ଷା ଅନୁଷ୍ଠାନ, କାର୍ଯ୍ଯାଳୟ ଇତ୍ୟାଦିରେ ବଣ୍ଟନ କରିବା ସହିତ ସବୁ ବର୍ଗର ବ୍ଯକ୍ତି ବିଶେଷଙ୍କୁ ସାମିଲ କରାଇ ବୃକ୍ଷ ରୋପଣ କରି ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଉଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ପରିବେଶ ସହିତ ଜଡିତ କରାଇ , ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଇବା ଯାହା ଦ୍ଵାରା ନିଶ୍ଚୟ ଭାବେ ସବୁଜ ବନାନୀ ଭରା ସୁନ୍ଦର ପରିବେଶ ଟିଏ ଗଠନ ହୋଇପାରିବ । ପରିବେଶ ସନ୍ତୁଳନ ହେବା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବ ଜଗତ ଶାନ୍ତିରେ ଜୀବନ ଯାପନ କରି ପାରିବେ ଓ ଜୀବ ଜଗତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ନିଜକୁ ରକ୍ଷା କରି ପାରିବ । ତାଙ୍କର ଏହି ମହତ ଉଦ୍ୟମ ପାଇଁ ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରିଵା ସହିତ ବିଭିନ୍ନ ଅନୁଷ୍ଠାନରୁ ସମର୍ଦ୍ଧିତ ହୋଇଛନ୍ତି | ଜୀବନର ଚଲାବାଟରେ ଆସୁଥିବା ବହୁ ସମାଲୋଚନାକୁ ଭୁକ୍ଷେପ ନ କରି ନିଜ କର୍ତ୍ତବ୍ୟ ଆଉ କର୍ମକୁ ସମ୍ମାନ ଦେଇଥାନ୍ତି ଏହି ପାଇକରାୟ ଦମ୍ପତି | ଏମାନଙ୍କର ପ୍ରକୃତି ପ୍ରେମ ଆଗାମୀ ଯୁବ ପିଢ଼ିଙ୍କୁ ପରିବେଶ ସୁରକ୍ଷା ପାଇଁ ବାସ୍ତବରେ ପ୍ରେରଣା ଯୋଗାଉଛି |।

Leave a Reply

Your email address will not be published. Required fields are marked *