ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାୟଗଡ଼ ବ୍ଲକ୍ ପରିସରରେ ଭୟାବହ ଅଗ୍ନିକାଣ୍ଡ , ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟ ପୋଡ଼ି ଛାରଖାର ! ଦସ୍ତାବିଜ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ! ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ପରିସରରେ ଥିବା ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ । କାର୍ଯ୍ୟାଳୟ ଭିତରୁ ହଠାତ୍ ଧୂଆଁ ବାହାରୁଥିବା ଦେଖାଯିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ଆସବାବପତ୍ର ସହ ବିଭିନ୍ନ କାଗଜପତ୍ର ଓ ସରକାରୀ ଦସ୍ତାବିଜ୍ ନଷ୍ଟ ହୋଇଥିବା ଆଶଙ୍କା ରହିଛି। ପ୍ରକୃତରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ଏବଂ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ନଷ୍ଟ ହୋଇଛି, ତାହାର ଆକଳନ ବିଭାଗୀୟ ସ୍ତରରେ କରାଯାଉଛି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଦସ୍ତାବିଜ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ! ଗଜପତି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଏବେ ସରକାରୀ ରେକର୍ଡର ସୁରକ୍ଷା ପ୍ରଶ୍ନ ଉଠିଛି। ପୂର୍ବରୁ ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟ ଏବଂ RTO କାର୍ଯ୍ୟାଳୟରେ ମଧ୍ୟ ଅଗ୍ନିକାଣ୍ଡ ଘଟି ଦସ୍ତାବିଜ ନଷ୍ଟ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ତେବେ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ରହୁଥିବା ବେଳେ ସେଗୁଡ଼ିକର ଅଗ୍ନି ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି କି ନାହିଁ, ତାହା ଏବେ ପ୍ରଶ୍ନବାଚୀ । କାର୍ଯ୍ୟାଳୟଗୁଡ଼ିକରେ ଫାୟାର୍ ସେଫ୍ଟି ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ବିଦ୍ୟୁତ୍ ବ୍ୟବସ୍ଥାର ନିୟମିତ ଯାଞ୍ଚ ହେଉଛି କି? ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜର ଡିଜିଟାଲ୍ ବ୍ୟାକଅପ୍ ରହିଛି କି? ଏହି ଘଟଣା ପରେ ଏସବୁ ପ୍ରଶ୍ନର ଉତ୍ତର ଦେବା ଜରୁରୀ ହୋଇପଡ଼ିଛି।


