ମା’ ଚର୍ଚ୍ଚିକାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜାର ପହିଲି ପୂଜା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶରତ ଆକାଶରେ ଧଳା କାଶତଣ୍ଡୀର ହସ, ପବନରେ ପାର୍ବଣର ମହକ। ମା’ଙ୍କ ଆଗମନୀକୁ ନେଇ ଭକ୍ତିମୟ ହୋଇଉଠିଛି ଓଡ଼ିଶାର ପ୍ରମୁଖ ଶକ୍ତିପୀଠ। ଏହି ଆଧ୍ୟାତ୍ମିକ ପରିବେଶରୁ ବାଦ ପଡ଼ିନି କଟକ ଜିଲ୍ଲା ବାଙ୍କୀର ଆରାଧ୍ୟ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ। ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଳଦିନାତ୍ମକ ଶାରଦୀୟ ପୂଜାର ପହିଲି ପୂଜା। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ମନ୍ତ୍ରୋଚ୍ଚାରଣରେ ପବିତ୍ର ହୋଇଉଠିଛି ମା’ଙ୍କ ପୀଠ ।

ପାର୍ବଣ ଆସିଲେ ପ୍ରକୃତି ପିନ୍ଧେ ନୂଆ ରୂପ… ଆଉ ଶରତର ଏହି ପବିତ୍ର ବେଳାରେ ଭକ୍ତିର ରଙ୍ଗରେ ରଙ୍ଗେଇ ହୋଇଯାଏ କଟକ ଜିଲ୍ଲା ବାଙ୍କୀ ର ମା’ ଚର୍ଚ୍ଚିକାଙ୍କ ପୀଠ।ପୂର୍ବ ନୀତିକାନ୍ତି ଓ ପରମ୍ପରା ଅନୁଯାୟୀ ମନ୍ଦିରର ରାଜଗୁରୁ ଭବାନୀ ଶଙ୍କର ମହାପାତ୍ରଙ୍କ ଦ୍ୱାରା ରାଜାଙ୍କୁ ବରଣୀ କରିବାର ବିଧିରୁ ଆରମ୍ଭ ହୁଏ ପୂଜାର ପ୍ରଥମ ନୀତି। ବାଙ୍କୀଗଡ଼ ରାଜାଙ୍କ ଘରକୁ ଯାଇ ସେଠାରୁ ମୁଠି ଚାଉଳ ଆଣିବା ପରେ ବିଧିବଦ୍ଧ ଭାବେ ଆରମ୍ଭ ହୁଏ ମା’ ଚର୍ଚ୍ଚିକାଙ୍କ ଶାରଦୀୟ ଦୁର୍ଗାପୂଜାର ପହିଲି ପୂଜା।

ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ଧରି ଚାଲିଥାଏ ଏହି ପାରମ୍ପରିକ ପୂଜା। ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମା’ ଚର୍ଚ୍ଚିକା।ପହିଲି ପୂଜା ଅବସରରେ ସେବାୟତମାନେ ମହାନଦୀରୁ ୧୦୮ କଳସ ଜଳ ଆଣିଥାନ୍ତି। ପବିତ୍ର ଜଳରେ ସାହସ୍ରକୁମ୍ଭାଭିଷେକ କରାଯାଇ ମା’ଙ୍କୁ ସ୍ନାନ କରାଯାଏ। ମନ୍ତ୍ରଧ୍ୱନି ଓ ଶଙ୍ଖନାଦ ମଧ୍ୟରେ ଏହି ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୁଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା।ସକାଳୁ ରାଜଗୁରୁଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବଲ୍ଲଭ ନୀତି ସମ୍ପନ୍ନ ହେବା ପରେ ଅନୁଷ୍ଠିତ ହୁଏ ମା’ଙ୍କ ନେତ୍ରଲାଗି ଉତ୍ସବ। ମା’ଙ୍କ ନେତ୍ରରେ ଜୀବନ୍ତ ହୁଏ ଦେବୀଙ୍କ ଦିବ୍ୟ ରୂପ। ଏହି ସମୟରେ ମା’ଙ୍କ ଦର୍ଶନ କଲେ କୋଟିଏ ଜନ୍ମର ପୁଣ୍ୟଫଳ ମିଳେ ବୋଲି ରହିଛି ଭକ୍ତଙ୍କ ଅଟଳ ବିଶ୍ୱାସ।

ଏଠି ଭକ୍ତି କେବଳ ଏକ ଆଚାର ନୁହେଁ… ଏହା ପରମ୍ପରାର ଏକ ଅବିଚ୍ଛିନ୍ନ ଧାରା। ଯେଉଁ ଧାରାରେ ପିଢ଼ି ପରେ ପିଢ଼ି ଯୋଡ଼ି ହୋଇଆସୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ.ଷୋଳପୂଜା ସମୟରେ ମା’ଙ୍କ ପୀଠରେ ଚାରି ଧୂପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ। ମା’ଙ୍କ ନିକଟରେ ମଣ୍ଡୁଆ, କାକରା ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଏ। ପ୍ରତିଦିନ ମା’ଙ୍କ ବେଢ଼ାରେ ଚଣ୍ଡୀପାଠ ସହ ରାମାୟଣ ପାଠ ମଧ୍ୟ କରାଯାଏ। ଧର୍ମ, ପରମ୍ପରା ଓ ଭକ୍ତିର ଏହି ଅପୂର୍ବ ସମନ୍ୱୟ ମା’ଙ୍କ ପୀଠକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ।ସନ୍ଧ୍ୟା ହେଲେ ମା’ଙ୍କ ଆଳତୀ ଦେଖିବା ପାଇଁ ପୀଠରେ ଜମେ ଭକ୍ତଙ୍କ ଭିଡ଼। ଶଙ୍ଖର ଶୁଭଧ୍ୱନି, ଘଣ୍ଟଘଣ୍ଟାର ନାଦ ଓ ଦୀପର ଆଲୋକରେ ମନ୍ଦିର ପରିସର ପାଲଟିଯାଏ ଆଧ୍ୟାତ୍ମିକ ଭାବନାର ଏକ ଭିନ୍ନ ଦୁନିଆରେ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ସହ ବାଙ୍କୀ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଏ।ମା’ଙ୍କ ଦର୍ଶନ ପାଇଁ ଏହି ପୀଠକୁ ଆସୁଥିବା ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ—ଏଭଳି ରହିଛି ଭକ୍ତଙ୍କ ବିଶ୍ୱାସ। ମନର କଥା ମା’ଙ୍କ ଚରଣରେ ରଖିଲେ ମା’ ମନସ୍କାମନା ପୂରଣ କରନ୍ତି ବୋଲି ରହିଛି ଅଗାଧ ଆସ୍ଥା।ଏହି ଆସ୍ଥା ହିଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କୁ ପ୍ରତିବର୍ଷ ଟାଣି ଆଣେ ମା’ ଚର୍ଚ୍ଚିକାଙ୍କ ପୀଠକୁ। ତେବେ ଷୋଳପୂଜାର ସବୁଠାରୁ ପ୍ରମୁଖ ପର୍ବ ହେଉଛି ମହାଷ୍ଟମୀ। ସେହିଦିନ ମା’ ଚର୍ଚ୍ଚିକା ମହିଷାସୁରମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଶରତର ଶୁଭ୍ର ଆକାଶ ତଳେ ଏବେ ଭକ୍ତିର ରଙ୍ଗରେ ରଙ୍ଗେଇ ହୋଇଛି ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠ। ମା’ଙ୍କ ଦିବ୍ୟ ଦର୍ଶନ ଓ ସାନିଧ୍ୟ ପାଇବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ।ଦିନ ଗଡ଼ିବା ସହ ଆହୁରି ବଢ଼ିବ ଭକ୍ତଙ୍କ ସମାଗମ। କାହା ହାତରେ ପୂଜାର ଥାଳି, କାହା ଆଖିରେ ମା’ଙ୍କ ଦର୍ଶନର ଅପେକ୍ଷା, ଆଉ କାହା ମନରେ ମା’ଙ୍କ ଚରଣରେ ନିଜ ମନସ୍କାମନା।ଆସ୍ଥାର ଏହି ପୀଠରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଡ଼ି ହୁଏ ଭକ୍ତିର ସେତୁ। ମା’ଙ୍କ ଆଶୀର୍ବାଦ ଟିକିଏ ପାଇବା ପାଇଁ ଭକ୍ତଙ୍କ ମନରେ ଗୋଟିଏ ଆଶା—ମା’ ଚର୍ଚ୍ଚିକାଙ୍କ ଦର୍ଶନରେ ପୂରିଯାଉ ମନର ସମସ୍ତ ଆକାଂକ୍ଷା !

Leave a Reply

Your email address will not be published. Required fields are marked *