ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଧୀନ ଦାମିଆ ବରବରା ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହର ଅବଶିଷ୍ଟାଂଶ ତଥା ନରକଙ୍କାଳ ଉଦ୍ଧାର ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କଙ୍କାଳ ନିକଟରେ ପ୍ଲାଷ୍ଟିକ ରସି ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ବରବରା ଜଙ୍ଗଲ ମଧ୍ୟରେ ନାଣ୍ଡୁରୁ ଗ୍ରାମ ନିକଟସ୍ଥ ରାଜେନି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କିଛି ଲୋକ ନିକଟସ୍ଥ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ଏହି ସମୟରେ ନିକଟରେ କିଛି କୁକୁର ବାରମ୍ବାର ଭୁକୁଥିବା ଦେଖି ସନ୍ଦେହ ହେବାରୁ ସେମାନେ ସେହି ସ୍ଥାନକୁ ଯାଇଥିଲେ। ସେଠାରେ ଏକ ଗଳିତ ମୃତଦେହ ଦେଖି ସେମାନେ ମହୁଲିଆ ଫରେଷ୍ଟ ବିଟ୍ ହାଉସକୁ ଖବର ଦେଇଥିଲେ। ଫରେଷ୍ଟ ବିଭାଗ ପକ୍ଷରୁ ବାଣପୁର ପୋଲିସକୁ ଏନେଇ ସୂଚନା ଦିଆଯିବା ପରେ ବାଣପୁର ପୋଲିସ ଏକ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା। ଦୀର୍ଘ ସମୟ ଧରି ମୃତଦେହଟି ପଡ଼ିରହିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ କେବଳ କଙ୍କାଳ ଅବଶିଷ୍ଟ ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ମିଳିଥିବା ପୋଷାକ ଅନୁଯାୟୀ, ମୃତ ବ୍ୟକ୍ତି ନୀଳ ଜିନ୍ସ ପ୍ୟାଣ୍ଟ, କଳା ଜ୍ୟାକେଟ୍ ଓ ବୁଟ୍ ପିନ୍ଧିଥିବା ଜଣାପଡ଼ିଛି। ପ୍ରାଥମିକ ଅନୁମାନ ଅନୁଯାୟୀ, ପ୍ରାୟ ୨୦ରୁ ୨୫ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ। ତେବେ ମୃତ୍ୟୁର ପ୍ରକୃତ କାରଣ ଓ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ, କଙ୍କାଳ ନିକଟରୁ ଏକ ପ୍ଲାଷ୍ଟିକ ରସି ମିଳିଥିବାରୁ ଘଟଣାଟି ସନ୍ଦେହଜନକ ହୋଇପଡ଼ିଛି। ଏହାକୁ ଆଧାର କରି ପୋଲିସ ହତ୍ୟାକାଣ୍ଡର ସମ୍ଭାବନାକୁ ମଧ୍ୟ ନଜରରେ ରଖି ତଦନ୍ତ ଚଳାଇଛି। ଏନେଇ ବାଣପୁର ଥାନାରେ ୧୪/୨୬ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳଟି ନୟାଗଡ଼ ଜିଲ୍ଲା ସୀମାଠାରୁ ପ୍ରାୟ ୬ କିଲୋମିଟର ଏବଂ ଗଞ୍ଜାମ ଜିଲ୍ଲା ସୀମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବାରୁ ବାଣପୁର ପୋଲିସ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ନିକଟବର୍ତ୍ତୀ ଥାନାଗୁଡ଼ିକ ସହ ଯୋଗାଯୋଗ କରିଛି। ସେଠାରେ ନିକଟରେ ଦାଖଲ ହୋଇଥିବା ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ମୃତକଙ୍କ ପରିଚୟ ନେଇ କେହି ଦାବି କଲେ, ଆଇନଗତ ପ୍ରକ୍ରିୟା ଅନୁଯାୟୀ ଡିଏନ୍ଏ ପରୀକ୍ଷା କରାଯାଇ ପରିଚୟ ନିଶ୍ଚିତ କରାଯିବ। ପରିଚୟ ସ୍ପଷ୍ଟ ହେବା ପରେ ମୃତକଙ୍କ ଅବଶିଷ୍ଟାଂଶ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ବାଣପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଦାମିଆ ବରବରା ଜଙ୍ଗଲ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ, ପୋଲିସର ତଦନ୍ତ ପରେ ହିଁ ଏହି ରହସ୍ୟମୟ ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ।
ଦାମିଆ ବରବରା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର : ହତ୍ୟା ସନ୍ଦେହ !!!

