ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ , ଭୁବନେଶ୍ୱର ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ୬ଟି ପ୍ରକଳ୍ପ ମନୋନୀତ ! ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧିତ୍ସା ଓ ସୃଜନଶୀଳ ଚିନ୍ତନର ବିକାଶ ଲକ୍ଷ୍ୟରେ ଗଜପତି ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC) PM SHRI ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ କଂଗ୍ରେସରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୬୦ରୁ ଊର୍ଦ୍ଧ୍ୱ ବିଜ୍ଞାନ ପ୍ରକଳ୍ପ ଅଂଶଗ୍ରହଣ କରିଥିଲା। ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ସ୍ଥାନୀୟ ସମସ୍ୟା, ପରିବେଶ ସୁରକ୍ଷା ଓ ବିଜ୍ଞାନଭିତ୍ତିକ ସମାଧାନକୁ ନେଇ ନିଜ ନିଜର ଗବେଷଣାମୂଳକ ପ୍ରକଳ୍ପ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ (DSS) ଶ୍ରୀ ୱାଇ. କ୍ରିଷ୍ଣାରାଓ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା ଓ ଗବେଷଣାମୂଳକ ଉଦ୍ୟମକୁ ଉତ୍ସାହିତ କରିଥିଲେ। ପି ଏମ୍ ଶ୍ରୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାଶ ଓ ଜିଲ୍ଲା ବିଜ୍ଞାନ ସମନ୍ୱୟକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ନିମନ୍ତେ ବିଚାରକ ଭାବେ ଗୋଷାଣୀ ବ୍ଲକ୍ର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବଳକୃଷ୍ଣ ମାଝୀ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୌଳିକତା, ବୈଜ୍ଞାନିକ ଦୃଷ୍ଟିକୋଣ ଓ ସାମାଜିକ ଉପଯୋଗିତାକୁ ଆଧାର କରି ମୂଲ୍ୟାୟନ କରିଥିଲେ । ଏହି ପ୍ରତିଯୋଗିତାରୁ କନିଷ୍ଠ ବର୍ଗର ୨ଟି ଓ ବରିଷ୍ଠ ବର୍ଗର ୪ଟି ପ୍ରକଳ୍ପକୁ ମିଶାଇ ମୋଟ ୬ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ମନୋନୀତ ପ୍ରତିଯୋଗୀମାନେ ହେଲେ :
କନିଷ୍ଠ ବର୍ଗ:
୧. ନିର୍ମଳ କୁମାର ପଣ୍ଡା – ଅଷ୍ଟମ ଶ୍ରେଣୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲିଙ୍ଗିପୁର।
୨. ସତ୍ୟପ୍ରକାଶ ରାଉତ – ଅଷ୍ଟମ ଶ୍ରେଣୀ, ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା।
ବରିଷ୍ଠ ବର୍ଗ:
୧. କେ. ପୁଣ୍ୟବତୀ – ନବମ ଶ୍ରେଣୀ, ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଷାଣୀ।
୨. ଦୀପକ ବାଦରାଇତା – ନବମ ଶ୍ରେଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, କେରାଡ଼ାଙ୍ଗ।
୩. ସୁଧାସ୍ମିତା କାର୍ଜୀ – ନବମ ଶ୍ରେଣୀ, ପି ଏମ୍ ଶ୍ରୀ କେ.ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟ, ଆର୍. ଉଦୟଗିରି।
୪. ଅର୍ଚ୍ଚିତା ମଲ୍ଲିକ – ନବମ ଶ୍ରେଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ଅଡ଼ବା।
ଏହି ମନୋନୀତ ପ୍ରକଳ୍ପଗୁଡ଼ିକ ଆସନ୍ତା ୨୭ ଓ ୨୮ ନଭେମ୍ବର ୨୦୨୬ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ କଂଗ୍ରେସରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ କରିବେ । ଛାତ୍ରଛାତ୍ରୀଙ୍କ ଏହି ବୈଜ୍ଞାନିକ ଉଦ୍ୟମ ଜିଲ୍ଲାର ଶିକ୍ଷାକ୍ଷେତ୍ରରେ ଏକ ଆଶାଜନକ ପଦକ୍ଷେପ ହୋଇଥିବାବେଳେ ମନୋନୀତ ପ୍ରତିଯୋଗୀମାନଙ୍କ ସଫଳତା କାମନା କରାଯାଇଛି ।
ଗଜପତି ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ !!!

